ଗଜପତି: ଆଜି(ଗୁରୁବାର) ହେଉଛି ପବିତ୍ର ସାବିତ୍ରୀ ବ୍ରତ । ଏହି ଦିନରେ ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ ଏହି ବ୍ରତ ପାଳନ କରିଥାନ୍ତି । ହେଲେ କିନ୍ନର ମାନେ ଏହି ବ୍ରତକୁ ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ପାଳନ କରିଥାନ୍ତି । ପାରଳାଖେମୁଣ୍ଡିରେ କିନ୍ନର ମାନେ ଏହି ବ୍ରତକୁ ପାଳନ କରି ନିଜ ଗୁରୁଙ୍କ ମଙ୍ଗଳ କାମନା କରିଥାନ୍ତି । ସାଧାରଣ ମଣିଷଙ୍କ ଠାରୁ କିନରଙ୍କ ଜୀବନଶୈଳି କିଛିଟା ଅଲଗା । କିନ୍ନର ମାନେ ବିଭିନ୍ନ ପର୍ବ ପର୍ବାଣୀ ତାଙ୍କ ପରମ୍ପରା ଅନୁସାରେ ପାଳନ କରିଥାନ୍ତି ।
ସମାଜ କିନ୍ନରମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିବା ସହ ସେମାନଙ୍କୁ ଏକ ପ୍ରକାର ବାସନ୍ଦ କରୁଥିବା ଘଟଣା ବିଭିନ୍ନ ସମୟରେ ଲୋକସୋଚନକୁ ଆସୁଛି । ଯଦିଓ କିନ୍ନରଙ୍କ ପାଇଁ ଆଇନ କିଛିଟା ସହାୟକ ହୋଇଛି, ତଥାପି ସମାଜ ଏହାକୁ ଆଜିଯାଏଁ ଗ୍ରହଣ କରିପାରି ନାହିଁ । ତେଣୁ, କିନ୍ନରମାନେ ନିଜ ଘର ଏବଂ ପରିବାର ଠାରୁ ଅଲଗା ରହି ଏକ ଅଲଗା ଦୁନିଆ ସହ ନିଜର ସଂପର୍କ ରଖିଥାନ୍ତି । ସାଧାରଣ ମହିଳାମାନେ ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ରଖୁଥିବା ବେଳେ କିନ୍ନରମାନ ନିଜର ସବୁକିଛି ମାନୁଥିବା ନିଜର ଗୁରୁଙ୍କ ପାଇଁ ଏହି ବ୍ରତ ପାଳନ କରିଥାନ୍ତି ।
ସାଧାରଣ ମହିଳା ମାନଙ୍କ ପରି କିନ୍ନର ମାନେ ନୂତନ ପୋଷାକ ପରିଧାନ କରିବା ସହ ସଜେଇ ହୋଇ ଏକତ୍ରିତ ଭାବେ ଏହି ବ୍ରତକୁ ପାଳିଛନ୍ତି । ଆଜି ସକାଳୁ କିନ୍ନର ମାନେ ଆମ୍ବ, ପଣସ, ସପୁରୀ ଆଦି ବିଭିନ୍ନ ପ୍ରକାର ଫଳ ସହ ଶାଢୀ, ଚୁଡି, ସିନ୍ଦୁର ଆଦି ସାଙ୍ଗରେ ନେଇ ପହଁଚିଥିଲେ ପାରଳାଖେମୁଣ୍ଡି ଶ୍ୟାମାକାଳୀ ମନ୍ଦିରରେ । ଏହାପରେ ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ ଗୁରୁଙ୍କ ପାଦୁକା ପାନ କରିବା ପରେ ପ୍ରସାଦ ସେବନ କରିଥାନ୍ତି । କିନ୍ନର ମାନେ ନିଜ ଘର ଛାଡି ବାହାରକୁ ଚାଲି ଆସିଥିବାରୁ ନିଜ ଗୁରୁହିଁ ସେମାନଙ୍କ ପାଇଁ ବାପା, ମାଁ, ସ୍ଵାମୀ ସବୁକିଛି । ତେଣୁ ତାଙ୍କ ପାଇଁ ବ୍ରତ ପାଳନ କରୁଥିବା ସେମାନେ କହିଛନ୍ତି ।
କିନ୍ନରମାନେ ସାମାଜିକ ଭାବେ ଏକ ପ୍ରକାର ବାସନ୍ଦ । ସମାଜ ତାଙ୍କୁ ଭିନ୍ନ ଚକ୍ଷୁରେ ଦେଖିଥାଏ । ତେଣୁ ସେମାନେ ଘର ଛାଡି ଭିନ୍ନ ଏକ ଦୁନିଆରେ ରହିଥାନ୍ତି । ସେମାନଙ୍କ ଜୀବନ ଶୈଳୀ ଏବଂ ପୂଜା ପଦ୍ଧତି ସବୁ କିଛି ସେମାନଙ୍କ ପରମ୍ପରା ଅନୁସାରେ ପାଳନ କରିଥାନ୍ତି । ଶାସ୍ତ୍ର ଅନୁସାରେ କିନ୍ନରଙ୍କ ପାଇଁ ସେମାନଙ୍କ ଗୁରୁ ହିଁ ସବୁକିଛି । ତେଣୁ, ତାଙ୍କ ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରିବାର ବିଧି ରହିଛି । ତେଣୁ ପ୍ରତିବର୍ଷ ଏହାକୁ ସେମାନେ ପାଳନ କରୁଥିବା କିନ୍ନରମାନେ କହିଛନ୍ତି ।
କିନ୍ନରମାନଙ୍କୁ ଯଦିଓ ବର୍ତ୍ତମାନ ଆଇନଗତ ଅଧିକାର ମିଳିଛି । ତଥାପି ସମାଜ ଆଜି ବି ଗ୍ରହଣ କରିପାରି ନାହିଁ । ତେବେ ସେମାନେ ନିଜ ପରମ୍ପରା ଓ ସଂସ୍କୃତିକୁ ନେଇ ଚଳି ଆସୁଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ