ପାରଳାଖେମୁଣ୍ଡି: ସଭିଏଁ ପଢିବେ ସଭିଏଁ ବଢିବାର ନାରା ଦେଉଛନ୍ତି ସରକାର। କିନ୍ତୁ ସ୍କୁଲ ମିଶ୍ରଣ ପର୍ବ ଯେମିତି ଏହି ନାରାକୁ ପରିହାସ କଲାପରି ମନେ ହେଉଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସରକାର ପ୍ରଣୟନ କରୁଛନ୍ତି ପୁଳାପୁଳା ଯୋଜନା ସତ କିନ୍ତୁ ସ୍କୁଲ ମିଶ୍ରଣ ପର୍ବ ଏବେ ସେମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି । ଗଜପତି ତରଙ୍ଗଡା ପଞ୍ଚାୟତର ତାମସିଂ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟ ଏକ ସ୍କୁଲରେ ମିଶ୍ରଣ ପରେ ପାଠପଢା ଯେମିତି ସାତ ସପନ ପାଲଟିଛି ଗ୍ରାମରେ ଥିବା ପିଲାଙ୍କ ପାଇଁ ।
20ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିଦେବା ଏବଂ ନିକଟସ୍ଥ ସ୍କୁଲ୍ରେ ସାମିଲ କରାଇବା ପାଇଁ ସରକାରୀ ନିର୍ଦ୍ଦେଶ ଜାରି ହେବା ପରେ ଗଜପତି ଜିଲ୍ଲାର ଅନେକ ସ୍କୁଲରେ ତାଲା ପଡିଛି । ଫଳରେ ସେହି ଗାଁର ଅଧିକାଂଶ ପିଲା ନିଜ ପାଠ ପଢାରେ ଡୋରି ବାନ୍ଧି ଛେଳି ଚରାଇବା କିମ୍ବା ଖେଳିବାରେ ଏବେ ବ୍ୟସ୍ତ । ଗୋଟିଏ ପଟେ ସରକାର ଶିକ୍ଷାର ବିକାଶ ପାଇଁ ସ୍ମାର୍ଟ ସ୍କୁଲ ନିର୍ମ।ଣ କରୁଛନ୍ତି, କିନ୍ତୁ ଅନ୍ୟପଟେ ଗ୍ରାମାଞ୍ଚଳ ପିଲାଙ୍କ ଶିକ୍ଷା ପାଇଁ ସତେ ଯେମିତି ଆଖି ବୁଜି ଦେଇଛନ୍ତି । ଏହି ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଥିଲା । ତାମସିଂ ଗାଁ ସମେତ ତଳ ପାଙ୍ଗୁଡା, ତଳ ତାମସିଂ ଆଦି ଗାଁର ପିଲାମାନେ ଏହି ବିଦ୍ୟାଳୟରେ ପାଠ ପଢୁଥିଲେ । ହେଲେ 2018 ମସିହାରେ କମ୍ ଛାତ୍ରଛାତ୍ରୀ ଥିବା ଦର୍ଶାଇ ବିଦ୍ୟାଳୟକୁ ବନ୍ଦ କରିଦିଆଯିବା ସହ ଏହାକୁ 7କିମି ଦୂର ଆମ୍ବଝରୀ ସ୍କୁଲରେ ସାମିଲ କରାଯାଇଥିଲା ।
ପିଲାମାନେ 7 କିମି ପାହାଡିଆ ରାସ୍ତା ଦେଇ ଯାତାୟତ କରିବା ସମ୍ଭବ ହେଉନଥିବାରୁ ସେମାନେ ପାଠପଢାରେ ଶେଷରେ ଡୋରି ବାନ୍ଧିଛନ୍ତି । ଫଳରେ ଏହି ଗାଁରେ ଥିବା ପ୍ରାୟ 35ଜଣ ପିଲା ଏବେ ଗାଇ ଚରାଇବା, ଛେଳି ଚରାଇବା କିମ୍ବା ଖେଳକୁଦରେ ନିଜର ସମୟ ବିତାଉଛନ୍ତି । ତେଣୁ ସରକାର ତୁରନ୍ତ ଗାଁରେ ଥିବା ସ୍କୁଲକୁ ପୁନଃ ଆରମ୍ଭ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାର 5ଟି ସ୍କୁଲ ନିର୍ମ।ଣ କରି ସ୍ମାର୍ଟ କ୍ଲାସରେ ପିଲାଙ୍କୁ ପଢାଇବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଭଳି ସ୍ଥିତିରେ ଦୁର୍ଗମ ଅଞ୍ଚଳରେ ରହୁଥିବା ପିଲାଙ୍କ ଭବିଷ୍ୟତକୁ ନେଇ ଶିକ୍ଷା ବିଭାଗର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
ଏନେଇ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକଙ୍କ ସହ ଯୋଗାଯୋଗ କରାଯିବାରେ ସ୍କୁଲ ବନ୍ଦକୁ ନେଇ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେହି ଅନୁସାରେ ଏହି ସ୍କୁଲ ବି ବନ୍ଦ ହୋଇଛି । ତେବେ ଏହାକୁ ନେଇ ମାମଲା ହୋଇଛି । ଯାହା କୋର୍ଟରେ ବିଚାରାଧୀନ ରହିଛି । ତେଣୁ ଏବେ ବନ୍ଦ ଥିବା ସ୍କୁଲକୁ ପୁନଃ କାର୍ଯ୍ୟକ୍ଷମ କରିବା ସମ୍ଭବ ହେଉନାହିଁ। ଏହାକୁ ନେଇ ସରକାରୀନ ନିଷ୍ପତି ଅପରେକ୍ଷା କରାଯାଇଛି ବୋଲି ସେ କହିଛନ୍ତି । ଛାତ୍ରଛାତ୍ରୀ କମ ଥିବା ଦର୍ଶାଇ ସ୍କୁଲ ବନ୍ଦ କରିଦେବା ପରେ ତାହା ବର୍ତ୍ତମାନ ପରିତ୍ୟକ ଅବସ୍ଥାରେ ପଡିରହିଛି । ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଛି । ତେବେ ଏଥିରେ କେବେ ସୁଧାର ଆସୁଛି ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ଗଜପତି