ଗଜପତି:ମହେନ୍ଦ୍ର ବନାଞ୍ଚଳର ବନ କର୍ମଚାରୀଙ୍କୁ ବଡ ଧରଣର ସଫଳତା । ଦିଲ୍ଲୀକୁ ଚାଲାଣ ହେଉଥିବା 2ଶହ କିଲୋ ରକ୍ତ ଚନ୍ଦନ କାଠକୁ ବନ ବିଭାଗ ରବିବାର ଜବତ କରିଛି। ଏଥିପାଇଁ ବ୍ୟବହୃତ ଟ୍ରକକୁ ଜବତ କରିବା ସହ 3ଜଣ ଚନ୍ଦନ ମାଫିଆଙ୍କୁ ଗିରଫ କରାଯାଇଛି ।
ସେମାନେ ହେଲେ ଗ୍ବାଲିୟରର ପ୍ରକାଶ ଯାଦବ, ଅଭିଷେକ ମାଝୀ ଏବଂ ଆଲିଗଞ୍ଜର ମହମ୍ମଦ ଆସିଫ ବୋଲି ଜଣାପଡିଛି । ତିତିଲି ବାତ୍ୟାରେ ଅନେକ ରକ୍ତ ଚନ୍ଦନ ଗଛ ନଷ୍ଟ ହୋଇଥିବା ବେଳେ ତାହାକୁ ସଂଗ୍ରହ କରି ରଖିଛି ବନ ବିଭାଗ । ତେବେ ଏହା ଉପରେ ପଡିଛି ଚନ୍ଦନ ମାଫିଆଙ୍କ ଦୃଷ୍ଟି । ଏଠାରୁ ଚୋରି କରି ନେଉଥିବା ବେଳେ ପୋଲିସ କିମ୍ବା ବନ ବିଭାଗ ହାତରେ ଧରାପଡିବା ଭଳି ଏକାଧିକ ଘଟଣା ଏବେ ପର୍ଯ୍ୟନ୍ତ ନଜରକୁ ଆସିଲାଣି ।
ଜବତ ହୋଇଥିବା ଚନ୍ଦନ କାଠ ଗତ ସେପ୍ଟେମ୍ବର 19ତାରିଖରୁ ଚୋରି ହୋଇଥିବା ବେଳେ ଏହାକୁ ଖୋଜିବା ପ୍ରକ୍ରିୟା ଜାରି ରଖିଥିଲା ବନ ବିଭାଗ । ତେବେ ଏହାକୁ ଦିଲ୍ଲୀ ଚାଲାଣ ପାଇଁ ଟ୍ରକ୍ ଆସିଥିବା ସଂପର୍କରେ ଖବର ପାଇ ବନ ବିଭାଗର ଏକ ଟିମ୍ ଚଢାଉ କରିଥିଲା ।
ଫଳରେ ତଳେ ଚନ୍ଦନ କାଠ ରଖି ଉପରେ କିଛି ପଇଡ ବୋଝେଇ କରି ଏହାକୁ ଚାଲାଣ କରାଯାଉଥିବା ବେଳେ ଏହାକୁ ଧରିଥିଲା ବନ ବିଭାଗ । ଏହି ଘଟଣାରେ ସମ୍ପୃକ୍ତ ଥିବା 3ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ