ଗଜପତି: ଦେଶର ବିଭିନ୍ନ ସ୍ଥାନ ସମେତ ବିଦେଶର ଲୋକେ ବି ଚାଖିବେ ଗଜପତି ଜିଲ୍ଲା ସପୁରୀରର ସ୍ବାଦ । କେବଳ ସପୁରୀ ନୁହେଁ । ଏଥିରୁ ପ୍ରସ୍ତୁତ ଜୁସ୍, ଜେଲି ଓ ଜାମ୍ ଆଦି ବିଭିନ୍ନ ପ୍ରକାର ଜିନିଷର ସ୍ବାଦ ଚାଖିବାର ସୁଯୋଗ ପାଇବେ ।
ଗଜପତି ଜିଲ୍ଲାରେ ବିଶେଷ କରି ରାୟଗଡ, ନୂଆଗଡ, ଆର.ଉଦୟଗିରି ଭଳି ଆଦିବାସୀ ଅଧ୍ୟୁଷିତ ବ୍ଲକରେ ପ୍ରତିବର୍ଷ 5 ହଜାରରୁ ଅଧିକ ଟନ ସପୁରୀ ଉତ୍ପାଦିତ ହୋଇଥାଏ । ହେଲେ ବଜାର ଅଭାବରୁ ଉଚିତ ମୂଲ୍ୟ ପାଉନ ଥିଲେ ଆଦିବାସୀ ଗରୀବ ଚାଷୀ । ଏହାର ସୁଯୋଗ ନେଇ ଦଲାଲ ମାନେ ଶାଗମାଛ ଦରରେ ସପୁରୀକୁ କିଣି ନେଉଥିଲେ ।
ଜିଲ୍ଲାରେ ଏହାକୁ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାରଟିଏ ମଧ୍ୟ ନଥିବାରୁ ଏହା ନଷ୍ଟ ହୋଇଯିବା ଭୟରେ ଆଦିବାସୀମାନେ ମଧ୍ୟ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ଆଦିବାସୀଙ୍କ ଆର୍ଥିକ ଉନ୍ନତି ପାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ବିଭାଗ ଓ ଓଡିଶା ଜୀବିକା ମିଶନ ମାଧ୍ୟମରେ ରାୟଗଡ ବ୍ଲକର ସିନ୍ଧିବା ଠାରେ ଏକ ସପୁରୀ ପ୍ରକ୍ରିୟାକରଣ କେନ୍ଦ୍ର ଆରମ୍ଭ ହୋଇଛି । ଏହାକୁ ଗଜପତି ଜିଲ୍ଲାପାଳ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରରେ ସପୁରୀରୁ ଜୁସ୍,ଜେଲି ଓ ଜାମ୍ ଆଦି ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହେଉଛି ।
ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବା ପାଇଁ ଜିଲ୍ଲା ବାହାରକୁ ମଧ୍ୟ ପଠାଯାଉଛି । ଯାହା ଫଳରେ ଗରୀବ ଆଦିବାସୀମାନେ ଲାଭବାନ ହୋଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।
କାହିଁ କେଉଁ କାଳରୁ ଏଠାକାର ଆଦିବାସୀମାନେ ଏଠାରେ ସପୁରୀ ଚାଷ କରି ଆସୁଛନ୍ତି । ହେଲେ ଏଠାରେ ସପୁରୀ ପ୍ରକ୍ରିୟାକରଣ କେନ୍ଦ୍ର ଆରମ୍ଭ ହେବା ପରେ ଚାଷୀମାନଙ୍କୁ ଉପଯୁକ୍ତ ଦର ମିଳିବ ବୋଲି ଆଦିବାସୀମାନେ ଆଶା ରଖିଛନ୍ତି । ବର୍ତ୍ତମାନ ସପୁରୀରରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ଏଥିପାଇଁ ସ୍ବତନ୍ତ୍ର ତାଲିମ ମଧ୍ୟ ଜିଲ୍ଲା ପ୍ରଶାସନ ଦେଇଛି । ବିଳମ୍ବରେ ହେଉ ପଛେ ଆଦିବାସୀଙ୍କ ଉନ୍ନତି ପାଇଁ ପ୍ରଶାସନର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ