ପାରଳାଖେମୁଣ୍ଡି: କୋରୋନା ଯୁଦ୍ଧରେ ବିଜୟୀ ହେବା ପାଇଁ ସରକାର ସାରା ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି । ଫଳରେ ଅଧିକାଂଶ ଲୋକେ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେବେ କିଛି ଲୋକ ବାହାରେ ବୁଲି ଲୋକଙ୍କ ସୁରକ୍ଷା ସହ ଭଲ ମନ୍ଦ ବୁଝିବା ଭଳି କାର୍ଯ୍ୟ ମଧ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରେ ପୋଲିସର କାର୍ଯ୍ୟ ନିଶ୍ଚିତ ଭାବେ ପ୍ରସଂଶନୀୟ । ତେଣୁ ପାରଳାଖେମୁଣ୍ଡି ସହରର କିଛି ଲୋକେ ମଙ୍ଗଳବାର ପୋଲିସକୁ ବନ୍ଦାପନା କରିବା ସହ ଫୁଲ ବର୍ଷା କରିଛନ୍ତି ।
ପୋଲିସ୍ କର୍ମଚାରୀମାନ ନିଜ ଜୀବନକୁ ବାଜି ଲଗାଇବା ସହ ନିଜ ପରିବାରକୁ ପଛରେ ପକାଇ ଯେଉଁଭଳି ଭାବେ କୋରୋନା ସହ ଲଢେଇ କରିବାକୁ ବାହାରେ ବୁଲୁଛନ୍ତି ଏବଂ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । ତେଣୁ ସେମାନେ ଏଭଳି ସମ୍ମାନ ପାଇବାର ହକଦାର ବୋଲି ଲୋକେ କହିଛନ୍ତି ।
ଏନେଇ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେ କେବଳ ଆମର କର୍ତ୍ତବ୍ୟ କରୁଛି । କିନ୍ତୁ ଲୋକେ ଯେଭଳି ଭାବେ ଆଜି ସମ୍ମାନ ଜଣାଇଲେ ତାହା ଆମକୁ ଅଧିକ କାମ କରିବାକୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ