ଗତପତି: ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏପରିକି ବ୍ୟାପକ ଦୁର୍ନିତୀରେ ସାମିଲ ଥିବା ଅଭିଯୋଗରେ ସେ ଗିରଫ ମଧ୍ୟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ବିଜେପି ପ୍ରଥମ ଦିନରୁ ସ୍ଵର ଉତ୍ତୋଳନ କରିଥିବା ବେଳେ ଆଜି ଯାଏଁ ଗଜପତି ଜିଲ୍ଲା ବିଜେପି ମୁହଁ ଖୋଲିନଥିଲା । ଏହାକୁ ନେଇ ବିଭିନ୍ନ ସ୍ଥାନରେ ସମାଲୋଚନା ହେବା ପରେ ଆଜି ପ୍ରଦୀପଙ୍କ ବିରୁଦ୍ଧରେ ମୁହଁ ଖୋଲିଛନ୍ତି ପାରଳାଖେମୁଣ୍ଡିର ବିଜେପି ବିଧାୟକ କେ.ନାରାୟଣ ରାଓ ।
ସେ କହିଛନ୍ତି ଯେ, ଟାଟା କମ୍ପାନୀରେ ଚାକିରି କରାଇବା ନାଁରେ ଅନେକ ବେକାର ଯୁବକ ଯୁବତୀଙ୍କ ଠାରୁ ବିପୁଳ ଟଙ୍କା ଆଦାୟ କରିଥିବା ତଦନ୍ତ ବେଳେ ଜଣାପଡିଛି । ଗଜପତି ଜିଲ୍ଲାର ଅନେକ ବେକାର ଯୁବକ ଯୁବତୀଙ୍କ ଠାରୁ ମଧ୍ୟ ଟଙ୍କା ଆଦାୟ ହୋଇଛି । ଏଠାକାର କିଛି ଦଲାଲ ବିଶେଷ କରି ପ୍ରଦୀପଙ୍କ ଅନଗତ ଭାବେ ଜଣାଶୁଣା କିଛି ବିଜେଡି ନେତା ଏହି କାରବାରରେ ସଂପୃକ୍ତ ରହିଛନ୍ତି । ତେଣୁ ବର୍ତ୍ତମାନ ଚାଲିଥିବା ତଦନ୍ତକୁ ବ୍ୟାପକ କରି ଏହି ଦଲାଲମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଗଲେ ବହୁ ରହସ୍ୟ ପଦାରେ ପଡିବ ବୋଲି ସେ କହିଛନ୍ତି ।
ସେହିଭଳି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଛତ୍ରଛାୟା ତଳେ ରହି ଗଜପତି ଜିଲ୍ଲାର ଅନେକ କୁଜି ନେତା ଏବେ କୋଟିପତି ହୋଇଛନ୍ତି । ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ସହ ବର୍ତ୍ତମାନ ସେମାନ କରିଥିବା ସମ୍ପତିର ଆକଳନ କରାଗଲେ ଭଦ୍ରମୁଖା ତଳେ ଥିବା ଏହି ଦଲାଲମାନଙ୍କ ଅସଲ ମୁଖା ଖୋଲିବ ବୋଲି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଅଭିଯୋଗ କରିଛନ୍ତି ।
୨୦୦୯ରୁ ୨୦୧୪ ଯାଏଁ ସେ ବିଜେଡି ଟିକଟରେ ଲଢି ପାରଳାଖେମୁଣ୍ଡି ବିଧାୟକ ହୋଇଥିଲେ । ଏହାପରେ ୨୦୧୪ ମସିହାରେ ବିଜେଡି ଟିକଟ ମିଳିଥିଲେ ମଧ୍ୟ ସେ ପରାସ୍ତ ହୋଇଥିଲେ । ତଥାପି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ବୈଠକରେ ତାଙ୍କୁ ପ୍ରଧାନ୍ୟ ଦିଆଯାଉଥିଲା । ଏପରିକି ୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିବାକରୁ ମଧ୍ୟ ସମସ୍ତ ନିଷ୍ପତି ହୋଇଥିଲା । ହେଲେ ପ୍ରଦୀପ ପାଣିଗ୍ରାହୀ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ହେବା ପରେ ମୋ ରୋକଠୋକ କଥାବାର୍ତ୍ତା ତାଙ୍କୁ ଭଲଲାଗିନଥିଲା । ତେଣୁ ସେ କିଛି ଦଲାଲଙ୍କୁ ଧରି ମୋ ବିରୁଦ୍ଧରେ ଷଡଯନ୍ତ୍ର କରି ମୋର ଟିକଟ କାଟିଥିଲେ ବୋଲି ସେ କହିଛନ୍ତି । ତେଣୁ ଏହି ସବୁ ଘଟଣାର ତଦନ୍ତ କରାଗଲେ ପ୍ରକୃତ କଥା ବାହାରକୁ ଆସିବ ବୋଲି ସେ କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ