ଗଜପତି: ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନିର୍ବାଚନରେ ଗଜପତି ଜିଲ୍ଲାର ମାଧିଆଖୋଲ, ମାଣିକପାଟଣା, ଗୁଡିଖୁଡି, ଆଖଡା, ବୁରୁଷିଙ୍ଗି, ଅମରିଙ୍ଗି ଆଦି 6ଟି ଗାଁର ଲୋକଙ୍କୁ ନିଜର ଭୋଟର ବନାଇ ସେମାନଙ୍କ ଭୋଟ ନେବାକୁ ଚାହୁଁଛି ଆନ୍ଧ୍ର ।
ଆନ୍ଧ୍ରର ମଞ୍ଜୁଷା ମଣ୍ଡଳର ସାବା ପଞ୍ଚାୟତରେ ଏହି ଗାଁ ଗୁଡିକ ରହିଥିବା ଦର୍ଶାଇଛି ଆନ୍ଧ୍ର । ଏନେଇ ଗତ କିଛି ଦିନ ହେଲା ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ ଏହି ସବୁ ଗାଁକୁ ଆସି ଲୋକଙ୍କୁ ପ୍ରଲୋଭିତ କରୁଥିବାବେଳେ ଆଜି ମଧ୍ୟ ଜଣେ ପ୍ରଶାସନିକ ଅଧିକାରୀ ପହଞ୍ଚିଥିବା ଦେଖାଯାଇଛି । ମାଣିକପାଟଣାରେ ଲୋକଙ୍କୁ ଭୋଟ ଦେବାକୁ ଉକ୍ତ ଅଧିକାରୀ ପ୍ରଲୋଭିତ କରୁଥିବା କୁହାଯାଉଛି ।
ତେବେ ଆନ୍ଧ୍ରର ଏହି ଷଡଯନ୍ତ୍ରକୁ ପ୍ରତିହତ କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । ଏଥିରେ କିଛିଟା ସଫଳ ମଧ୍ୟ ହୋଇଛି । ଆନ୍ଧ୍ର ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ମାଣିକପାଟଣା ଗାଁର ଲକ୍ଷ୍ମୀ ଶବର ଏବଂ ଦ୍ରୌପଦୀ ଶବରଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରେ ଗଜପତି ଜିଲ୍ଲା ପ୍ରଶାସନ ସକ୍ଷମ ହୋଇଛି ।
ତେବେ ସାବା ଠାରେ ନିର୍ମାଣ ହୋଇଥିବା ଭୋଟ ଗ୍ରହଣ କେନ୍ଦ୍ରରେ ଆଜି ଓଡିଶାର ଏହି 6ଟି ଗାଁର ଲୋକେ ଭୋଟ ଦେଉଛନ୍ତି କି ନାହିଁ ତାହା ଦେଖିବାର କଥା । ଅବଶ୍ୟ ଏଥିପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକାଧିକ ଅଧିକାରୀ ଏବଂ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ଲୋକଙ୍କ ସହ ଏନେଇ ଆଲୋଚନା କରିବା ସହ ବୁଝାଇବା ପାଇଁ ପ୍ରୟାସ କରୁଛନ୍ତି ।
ଏପଟେ ଲୋକେ ଏବେ ବି ସନ୍ଦିହାନ । କିଛି ଲୋକ ଆନ୍ଧ୍ରରୁ ମିଳୁଥିବା ସୁବିଧା ସୁଯୋଗ କଟିଯିବା ଭୟରେ ଭୋଟ ଦେବେ ବୋଲି କହୁଥିବା ବେଳେ ଆଉ କିଛି ଲୋକ ଆମକୁ ସୁବିଧା ସୁଯୋଗ ମିଳିଲେ ଆମେ ଆନ୍ଧ୍ର ଉପରେ ନିର୍ଭରଶୀଳ ହେବୁ ନାହିଁ, କି ଭୋଟ ଦେବୁ ନାହିଁ ବୋଲି କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ