ଗଜପତି: ବିଜେପିର ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ବୁଧବାର ଗଜପତି ଜିଲ୍ଲାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓଙ୍କ ସହ ମିଶି କାଶୀନଗର ବ୍ଲକର ବିଭିନ୍ନ ସ୍ଥାନ ବୁଲି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ନିର୍ବାଚନୀ ସଭାରେ ଯୋଗଦେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।
କେନ୍ଦ୍ରୀୟ ଯୋଜନାକୁ ଅପହରଣ କରି ରାଜ୍ୟ ସରକାର ନିଜ ନାଁରେ ଯୋଜନା କରୁଛନ୍ତି । ତେବେ ଏସବୁକୁ ଠିକ୍ ଭାବରେ କାର୍ଯ୍ୟକାରୀ ନକରିବା ଫଳରେ ଏବେବି ରାଜ୍ୟର ବିକାଶ ସମ୍ଭବ ହୋଇ ପାରିନାହିଁ । ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୨ ବର୍ଷ ଶାସନ କାଳରେ ସବୁଠାରୁ ବେଶୀ ଅସୁରକ୍ଷିତ ହେଉଛନ୍ତି ମହିଳା ଓ ଶିଶୁ । ଅନ୍ୟପଟେ ଗାଁକୁ କାମ ଏବଂ ମାଁ କୁ ସମ୍ମାନ ଏଠାରେ ଉପହାସ ସଦୃଶ ହୋଇଛି । ଆଗରରୁ ରାଜ୍ୟରେ ଅନେକ ଉଦାହରଣ ରହିଥିବା ବେଳେ ଗତ କିଛି ମାସ ତଳେ ମମିତା ମେହେର ହତ୍ୟା ଘଟଣା ଏଥିରେ ଆଉ ଏକ ଫର୍ଦ୍ଦ ଯୋଡିଥିଲା । ସେହିପରି ନୟାଗଡ ପରୀ ହତ୍ୟାକାଣ୍ଡ ଘଟଣା ମଧ୍ୟ ଶିଶୁ କେତେ ଅସୁରକ୍ଷିତ ତାହାକୁ ସ୍ପଷ୍ଟ କରଛି ।
ଏଣୁ ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି ବୋଲି ପୁରେନ୍ଦେଶ୍ବରୀ କହିଛନ୍ତି । ରାଜ୍ୟ ସରକାରଙ୍କ ମନମାନି ପ୍ରତିବାଦରେ ବିଜେପିକୁ ଭୋଟ ଦେବା ପାଇଁ ଡି ପୁରନ୍ଦେଶ୍ବରୀ ନିବେଦନ କରିଛନ୍ତି । ଏହି ପ୍ରଚାର କାର୍ଯ୍ୟରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଏବଂ ଜିଲ୍ଲା ପ୍ରଭାରୀ ସରୋଜ ସାବତ ମଧ୍ୟ ଉପସ୍ଥିତ ଥିଲେ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ