ଗଜପତି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଗ୍ରାମାଞ୍ଚଳ ଚଳଚଞ୍ଚଳ । ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ଗାଁ ମୁହାଁ । ସୁଯୋଗ ନେଇ ଗାଁର ଲୋକେ ନେତାଙ୍କୁ ପ୍ରଶ୍ନ କରିବା ସହ ସେମାନଙ୍କ ସମସ୍ୟା କଥା ମଧ୍ୟ କହୁଛନ୍ତି । ନେତାମାନେ ନିଜ ଢଙ୍ଗରେ ପ୍ରତିଶୃତି ଦେଇ ଲୋକଙ୍କ ଭୋଟ ଖଣ୍ଡିକ ହାତେଇବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଗଜପତି ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ କିଏ ହାତେଇବ ସେ ନେଇ ଚର୍ଚ୍ଚା ଜୋର ଧରିଛି ।
ଜିଲ୍ଲାରେ ୩ଟି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଏବଂ ବିଜେଡିର ସ୍ଥିତି ପ୍ରାୟ ସମାନ ରହିଥିବାରୁ କିଏ ଜିତିବ, ଏବେଠାରୁ ଆକଳନ କରିବା ସମ୍ଭବ ନୁହେଁ । ନିର୍ବାଚନ ଠାରୁ ଗାଁ ଦାଣ୍ଡ ମାଡିନଥିବା ନେତା ଏବେ ଭୋଟ ଭିକ୍ଷା ପାଇଁ ଗାଁ ମୁହାଁ । ନେତାଙ୍କୁ ପାଖରେ ପାଇ ଲୋକେ ସେମାନଙ୍କ ସମସ୍ୟା କହିବା ସହ ପୂର୍ବ ପ୍ରତିଶୃତି ପାଳନ ନେଇ ମଧ୍ୟ ପ୍ରଶ୍ନ କରୁଛନ୍ତି । ତେବେ ଏଥର ମଧ୍ୟ ଭୋଟ ଖଣ୍ଡିକ ହାତେଇବା ପାଇଁ ଚିରାଚରିତ ଢଙ୍ଗରେ ନେତାଏଁ ପ୍ରତିଶୃତିରେ ପୋତି ପକାଉଛନ୍ତି ।
ପଞ୍ଚାୟତ ନିର୍ବାଚନ ପାଇଁ ବର୍ତମାନ ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଜିଲ୍ଲାରେ ୧୪ଟି ଜିଲ୍ଲା ପରିଷଦ ଜୋନ୍ ରହିଥିବା ବେଳେ ସବୁ ଜୋନରେ ୩ଟି ଯାକ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେଡି ଏବଂ ବିଜେପି ପ୍ରାର୍ଥୀ ଦେଇଛନ୍ତି । ସେଥିମଧ୍ୟରୁ ୧୧ଟି ଜୋନରେ ବିଜୟୀ ହେବା ନେଇ କଂଗ୍ରେସ ଆଶାବାଦୀ ରହିଥିବା ବେଳେ ବିଜେପି ୧୦ଟିରେ ବିଜୟୀ ହୋଇ ଅଧ୍ୟକ୍ଷ ଆସନ ହାତେଇବା ପାଇଁ ଆଶା ରଖିଛି । ବିଜେଡି ମଧ୍ୟ ୧୨ଟି ଆସନ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛି ।
୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପାରିଷଦ ଅଧ୍ୟକ୍ଷା ପାଇଁ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା । ତେବେ ଜିଲ୍ଲାର ୧୪ଟି ଜୋନ୍ ମଧ୍ୟରୁ କଂଗ୍ରେସ 6ଟିରେ ବିଜୟୀ ହୋଇଥିବା ବେଳେ ବିଜେଡି 5ଟିରେ ଏବଂ 3ଟିରେ ବିଜେପି ବାଜିମାତ କରିଥିଲା । ତେବେ ଅଧ୍ୟକ୍ଷା ଆସନ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ଏହି ପଦବୀରେ ସବୁଠାରୁ କମ୍ ଆସନ ପାଇଥିଲେ ମଧ୍ୟ ମୋହନାର ବିଜେପିର ପ୍ରାର୍ଥୀ ଅନୀତାରାଣୀ ବେହେରା ଅଧ୍ୟକ୍ଷା ହୋଇଥିଲେ ଏବଂ ଉପାଧ୍ୟକ୍ଷ ଆସନ ହାତେଇଥିଲା ବିଜେଡି । ସବୁଠାରୁ ଅଧିକ ଆସନ ପାଇଥିବା କଂଗ୍ରେସକୁ ନିରାଶ ହେବାକୁ ପଡିଥିଲା ।
ତେବେ ଏଥର ଏହି ଆସନ ଅଣସଂରକ୍ଷିତ ରହିଥିବାରୁ ଯେଉଁଦଳ ଅଧିକ ଆସନ ପାଇବ ସେ ହିଁ ଅଧ୍ୟକ୍ଷ ହେବା ନିଶ୍ଚିତ । ତେଣୁ, ଏଥିପାଇଁ ସବୁ ଦଳ ପ୍ରୟାସ ଆରମ୍ଭ କରିଛନ୍ତି । ଜିଲ୍ଲାରେ ୨ଟି ବିଧାନସଭା ଆସନ ରହିଛି । ପାରଳାଖେମୁଣ୍ଡି ଆସନ ଅଧିନରେ 6ଟି ଜିଲ୍ଲା ପରିଷଦ ଜୋନ୍ ରହିଥିବା ବେଳେ ମୋହନା ଅଧିନରେ 5ଟି ଜୋନ୍ ରହିଛି । ତେଣୁ, ମୋହନା ଅଧିନରେ ଥିବା ୮ଟି ଆସନ ମଧ୍ୟରୁ କଂଗ୍ରେସ ୭ଟିରେ ବିଜୟୀ ହେବାକୁ ଥିବାବେଳେ ପାରଳାଖେମୁଣ୍ଡି ଅଧିନରେ ଥିବା ୬ଟି ମଧ୍ୟରୁ ୪ଟିରେ ଦଳ ନିଶ୍ଚିତ ବିଜୟୀ ହେବ ବୋଲି ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗ କହିଛନ୍ତି । ସେହିପରି ମୋହନାରୁ ୭ଟି ଏବଂ ପାରଳାଖେମୁଣ୍ଡିରୁ ୫ଟି ଆସନରେ ବିଜୟୀ ହେବା ସହ ଅଧ୍ୟକ୍ଷ ପଦବୀ ବିଜେଡି ହାତେଇବା ନିଶ୍ଚିତ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାମକୁ ନେଇ ବିଜେଡି ନିର୍ବାଚନର ସମ୍ମୁଖୀନ ହେବ ବୋଲି ସେ କହିଛନ୍ତି ।
କଂଗ୍ରେସ ଓ ବିଜେଡି ଭଳି ବିଜେପି ମଧ୍ୟ ଅତି କମରେ ୧୨ଟି ଆସନ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛି । ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓ କହିଛନ୍ତି, ‘‘ଆଗରୁ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ରହିଥିଲା, ପାରଳାଖେମୁଣ୍ଡି ଅଧିନରେ ଥିବା 6ଟି ଆସନ ମଧ୍ୟରୁ 3ଟିରେ ବିଜୟୀ ହୋଇଥିଲୁ । ସେହିପରି ଗୋଷାଣି ଏବଂ କାଶୀନଗର ବ୍ଲକକୁ ମଧ୍ୟ ଅକ୍ତିଆର କରିଥିଲୁ । କିନ୍ତୁ 2019 ସାଧାରଣ ନିର୍ବାଚନରେ ମୋତେ ଟିକଟ ନଦେବାରୁ ବିଜେପିରେ ସାମିଲ ହୋଇଥିଲି । ମୋ ସହ ସମସ୍ତ ସରପଞ୍ଚ, ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ । ଯାହା ଫଳରେ ଏଠାରେ ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା । ସେହି ସମାନ ସ୍ଥିତି ଏବେବି ରହିଛି । ସେହିପରି ମୋହନା ନିର୍ବାଚନ ମଣ୍ଡଳୀରେ ବିଜେପିର ସ୍ଥିତି ଆଗରୁ ଭଲ ରହିଛି । ତେଣୁ, ମୋଟାମୋଟି ଭାବେ ଜିଲ୍ଲାରେ ବିଜେପି ଭଲ ପ୍ରଦର୍ଶନ କରିବ ଏବଂ ୧୨ଟି ଆସନରେ ବିଜୟୀ ହେବା ନିଶ୍ଚିତ । ତେଣୁ, ଏଥର ମଧ୍ୟ ବିଜେପି ହିଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବ ।’’
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ