ଗଜପତି: ମାେହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା । ପ୍ରଥମେ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ଥିଲେ ସେ । ଏହାପରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଗଜପତି ଜିଲ୍ଲାରେ ତହସିଲଦାର ଭାବେ କାର୍ଯ୍ୟରତ ଅଛନ୍ତି । ଏବେ କୋରୋନା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଥିବା ବେଳେ ଏହାକୁ କଡାକଡି ଭାବେ ପାଳନ କରିବାର ଦାୟିତ୍ବ ରହିଛି ତହସିଲଦାରଙ୍କ ଉପରେ । ବର୍ତ୍ତମାନର ଲକଡାଉନ ପରିସ୍ଥିତିରେ ନିଜ ଅଞ୍ଚଳର ସମସ୍ତ କାର୍ଯ୍ୟକୁ ସଠିକ ଢଙ୍ଗରେ ପାଳନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସଙ୍ଘମିତ୍ରା ।
ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ସହଯୋଗର ହାତ ବଢାଇଛନ୍ତି । ତହସିଲଦାରଙ୍କ ନିସ୍ବାର୍ଥପର ସେବାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି। ମୋହନା ଅଞ୍ଚଳକୁ କୋରୋନା ମୁକ୍ତ କରିବାରେ ତାଙ୍କର ଅହରହ ପ୍ରୟାସ ବିଷୟରେ ପ୍ରସଂଶା ଯେତେ କଲେ ବି କମ୍ ହେବ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି । କୋରୋନା ମହାମାରୀରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦିନ ରାତି ଏକ କରି କାମ କରୁଥିବା କରୋନା ଯୋଦ୍ଧା ତଥା ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଆଜି ଲୋକଙ୍କୁ ସଚେତନ କରିବା ବେଳେ ଭାବବିହ୍ୱଳ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ନିୟନ୍ତ୍ରଣ ଆଣିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ହେଲେ କିଛି ଅମାନିଆ ଏହାକୁ ନମାନି ମନ ଇଚ୍ଛା ବୁଲୁଥିବା ବେଳେ ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି । ତେଣୁ ସେମାନଙ୍କୁ ସଚେତନ କରିବା ସହ ଏଭଳି ଅମାନିଆ ନହେବାକୁ ଆହ୍ଵାନ ଜଣାଇବା ସମୟରେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ