ଗଜପତି: ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଥିବା ୬ ଏକର ଜମି କବ୍ଜା କରି ପାର୍କ ନିର୍ମାଣ କରିଥିଲେ ପୋଲିସ ବାବୁ । ଜବରଦଖଲ ଉଚ୍ଛେଦ କଲେ ପାରଳାଖେମୁଣ୍ଡି ରାଜ ପରିବାରର ଦାୟାଦ କଲ୍ୟାଣୀ ଗଜପତି । ଓଏସଏପି ତୃତୀୟ ବାଟାଲିୟନର କମାଣ୍ଡାଣ୍ଟ ଜୁରିଆ ବେହେରା ଜଗନ୍ନାଥଙ୍କ ଜମିକୁ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ସେଠାରେ ଏକ ବିନୋଦନ ପାର୍କ ନିର୍ମାଣ କରିଥିଲେ ।
ଏହାକୁ ନେଇ ରାଜ ପରିବାର ପକ୍ଷରୁ ବାରମ୍ବାର ବିରୋଧ କରାଯାଇଥିଲା । ଏଭଳି ନକରିବାକୁ ଅନୁରୋଧ କରିଥିଲେ । ହେଲେ କାହାରି କଥା ଶୁଣିନଥିଲେ ପୋଲିସ ବାବୁ । ଶେଷରେ କଲ୍ୟାଣୀ ଗଜପତି ରାଜସ୍ବ ବିଭାଗ ନକଟରେ ଅଭିଯୋଗ କରି ଏହି ଜମିର ମାପଚୁପ କରାଇଥିଲେ । କମାଣ୍ଡାଣ୍ଟ ଜୁରିଆ ବେହେରା ୬ ଏକର ଜମି ନିଜ କବଜାକୁ ନେଇ ସେଠାରେ ପାର୍କ ନିର୍ମାଣ କରିଥିବା ସ୍ପଷ୍ଟ ହୋଇଥିଲା ।
ଶୁକ୍ରବାର କଲ୍ୟାଣୀ ଗଜପତି ନିଜ କର୍ମଚାରୀଙ୍କୁ ବୁଲ୍ଡୋଜର ସହ ପଠାଇବା ସହ ସମସ୍ତ ଜମିକୁ ଜବରଦଖଲମୁକ୍ତ କରାଇଛନ୍ତି । ଏହି ସମୟରେ କମାଣ୍ଡାଣ୍ଟ ଜୁରିଆ ବେହେରାଙ୍କ ତଳିଆ କର୍ମଚାରୀ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ କିଛି ସମୟ କଥା କଟାକଟି ଦେଖିବାକୁ ମିଳିଥିଲା ।
କମାଣ୍ଡାଣ୍ଟ ଜୁରିଆ ବେହେରା ମଦ ପିଇ ଅୟସ ଆରାମ ଜୀବନ ବିତାଇବା ପାଇଁ କରିଥିବା ଅଭିଯୋଗ କରିଛନ୍ତି ରାଜ ପରିବାର ମ୍ୟାନେଜର । ଏହି ସ୍ଥାନରେ ରହିଥିବା ଲକ୍ଷାଧିକ ଟଙ୍କାର ପଥରକୁ ବିକ୍ରି କରାଯାଇଥିବା କୁହାଯାଉଛି । ଖାଲି ସେତିକି ନୁହେଁ ପୋଲିସ ବାବୁ ପାରଳା ମହାଦେଇଙ୍କୁ ଦୁର୍ବ୍ୟବହାର କରିବା ସହ ଗିରଫ କରିବାକୁ ଭୟ ଦେଖାଇଥିବା ଅଭିଯୋଗ ହୋଇଛି ।
ସେପଟେ ଜମିଟି ପଡିଆ ପଡିଥିବାରୁ ଏହାକୁ ପାର୍କ କରାଯାଇ ସୁନ୍ଦର କରାଯାଇଥିଲା । ଲୋକେ ମଧ୍ୟ ଏଠାକୁ ଆସି ନିଜର ଚିତ୍ତ ବିନୋଦନ କରୁଥିଲେ । ହେଲେ ଏଭଳି କରିବା ଠିକ ହୋଇନାହିଁ ବୋଲି କହିଛନ୍ତି ୩ୟ ବାଟାଲିୟନର ଇନ୍ସପେକ୍ଟର ହୃଷିକେଶ ପାତ୍ର ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ