ଗଜପତି: ପୁଣି ଟ୍ରେନରେ ଆତଙ୍କ ଖେଳାଇଲେ ଲୁଟେରା । ନିଶା ଦେଇ ମହିଳା ଯାତ୍ରୀଙ୍କ ଠାରୁ ଲୁଟି ନେଲେ ସୁନା ଅଳଙ୍କାର, ମୋବାଇଲ ଓ ଟଙ୍କା । କଟକରୁ ଗୁଣପୁର ଅଭିମୁଖେ ଆସୁଥିବା ଜଣେ ମହିଳା ଟ୍ରେନ ଯାତ୍ରୀ ନିଜ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି । ତେବେ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ରବିବାର ସକାଳେ କଟକରୁ ଗୁଣୁପୁର ଅଭିମୁଖେ ଆସୁଥିବା ଜଣେ ମହିଳା ଟ୍ରେନ ଯାତ୍ରୀଙ୍କୁ ଦୁର୍ବୃତ୍ତମାନେ ନିଶା ଦେଇ ଲୁଟିଥିବା ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଲେ ରାୟଗଡ଼ ଜିଲ୍ଲା ଗୁମୁଡା ଗାଁର ଭି.ଜଗାରାଓଙ୍କ ପତ୍ନୀ ଶ୍ରୀଲକ୍ଷ୍ମୀ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହେଲେ ଏବେ ସୁଦ୍ଧା ଶ୍ରୀଲକ୍ଷ୍ମୀଙ୍କ ଚେତା ଫେରିଥିଲେ ସୁଦ୍ଧା ସେକୌଣସି କଥାବାର୍ତ୍ତା କରିପାରୁନାହାଁନ୍ତି ବୋଲି ସ୍ବାମୀ ଜଗାରାଓ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଶ୍ରୀଲକ୍ଷ୍ମୀ ନିଜ ଝିଅ ଘର କଟକ ଯାଇ ରବିବାର ରାଜରାଣୀ ଏକ୍ସପ୍ରେସ ଟ୍ରେନ୍ ଯୋଗେ ଏକାକି ଫେରୁଥିଲେ ।
ଏହାମଧ୍ୟ ପଢ଼ନ୍ତୁ ଟ୍ରେନରେ ଘରକୁ ଫେରୁଥିଲେ ପରିବାର, ପଇଡରେ ନିଶାଦେଇ ଲୁଟ
ଟ୍ରେନରେ ବସିବା ଠାରୁ ଜଗାରାଓ ତାଙ୍କ ସହ ବାରମ୍ବାର ଫୋନରେ କଥାବାର୍ତ୍ତା କରିଥିଲେ । ହେଲେ ପ୍ରାୟ 12ଟା ପରେ ଜଗାରାଓ ଫୋନ୍ କରିଥିଲେ ମଧ୍ୟ ଶ୍ରୀଲକ୍ଷ୍ମୀ ଆଉ ଫୋନ୍ ଉଠାଇନଥିଲେ । ଏନେଇ ଜଗାରାଓ ସନ୍ଦେହ କରି ଗୁଣପୁର ରେଳ ଷ୍ଟେସନରେ ପହଞ୍ଚିଥିଲେ। ହେଲେ ସେତେବେଳକୁ ଟ୍ରେନଟି ଗୁଣୁପୁରରୁ ରାଉରକେଲା ଅଭିମୁଖେ ଛାଡିସାରିଥିଲା । ଫଳରେ ଜଗାରାଓ ତୁରନ୍ତ ପାରଳାଖେମୁଣ୍ଡିରେ ରହୁଥିବା ତାଙ୍କ ଶାଳକକୁ ଏ ସମ୍ପର୍କରେ ଜଣାଇବା ପରେ ତାଙ୍କ ଶଳା ଡି.ଶିବପ୍ରସାଦ ଟ୍ରେନକୁ ଅପେକ୍ଷା କରି ଖୋଜାଖୋଜି କରିଥିଲେ ।
କିଛି ସମୟ ପରେ ଏକ ବଗିରେ ଶ୍ରୀଲକ୍ଷ୍ମୀ ଅଚେତ ହୋଇ ପଡିଥିବା ଦେଖିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଶ୍ରୀ ଲକ୍ଷ୍ମୀଙ୍କୁ ଉଦ୍ଧାର କରିଥିଲେ । ପରେ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ କରିଥିଲେ । ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଦୁର୍ବୃତ୍ତମାନେ ମହିଳାଙ୍କୁ ନିଶା ଦେଇ ସୁନା ଚେନ୍, ମୁଦି ଏବଂ କିଛି ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି ।
ତେବେ ବର୍ତ୍ତମାନ ଯାଏଁ ଚେତା ଫେରିନଥିବାରୁ କିଭଳି ଏବଂ କେଉଁ ଠାରେ ମହିଳା ଦୁର୍ବୃତ୍ତଙ୍କ ଦ୍ବାରା ନିଶାଗ୍ରସ୍ତ ହୋଇଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ । ଏହି ରାସ୍ତାରେ ଚାଲୁଥିବା ଟ୍ରେନମାନଙ୍କରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳବାଇ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଦାବି ହୋଇଛି ।
ଇଟିଭି ଭାରତ, ଗଜପତି