ଗଜପତି: ବୁଧବାରଠାରୁ ଫିଲିପାଇନ୍ସରେ ଆରମ୍ଭ ହେବ ୨୨ତମ ଏସିଆନ୍ ମାଷ୍ଟର୍ସ ଆଥଲେଟିକ୍ ଚମ୍ପିଆନସିପ୍ । ଓଡ଼ିଶାର 7 ଜଣ ଖେଳାଳି ଏଥିରେ ଭାଗ ନେବାକୁ ଥିବା ବେଳେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ପାରଳାଖେମୁଣ୍ଡିର ପୁଅ କିଶୋର ରଥ । ଲଙ୍ଗ୍ ଜମ୍ପ୍, ତ୍ରିପଲ୍ ଜମ୍ପ୍ ଏବଂ 100ମିଟର ଦୌଡ଼ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ କିଶୋର । ପୂର୍ବରୁ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳତା ପାଇଥିବା କିଶୋର ଏଥର ମଧ୍ୟ ଭଲ କରିବେ ବୋଲି ଆଶା କରାଯାଉଛି । ଚମ୍ପିଆନସିପ୍ ଆରମ୍ଭ ହେବା ପୂର୍ବରୁ କିଶୋରଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କମନା କରିଛନ୍ତି ବୁଦ୍ଧିଜୀବୀ ।
ଅବକାରୀ ବିଭାଗର ସବଇନ୍ସପେକ୍ଟର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି କିଶୋର । ପୂର୍ବରୁ ସାଉଥ ଏସିଆନ୍ ଗେମ୍ସ, ପାନ ଇଣ୍ଡିଆ, ନ୍ୟାସନାଲ ଗେମ୍ସ ଆଦି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗୀରେ ଅଂଶ ଗ୍ରହଣ କରିଥିଲେ କିଶୋର । ଏସିଆନ୍ ମାଷ୍ଟର୍ସ ଆଥଲେଟିକ୍ ଚମ୍ପିଆନସିପ୍ ପାଇଁ ସେ ଖୁବ ଅଭ୍ୟାସ କରିଛନ୍ତି । ଏନେଇ କିଶୋର କହିଛନ୍ତି ଯେ, ମୁଁ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିବାରୁ ଗର୍ବ ଅନୁଭବ କରିୁଛି । ସମସ୍ତ ପ୍ରକାର ଅଭ୍ୟାସ ଜାରି ରଖିଛି । ସଫଳତା ମିଳିବ ବୋଲି ଆଶା ରଖିଛି । ତେବେ ଯଦି ସବୁ ଠିକ୍ଠାକ୍ ରହେ ତାହେଲେ ନିଶ୍ଚିତ ସଫଳତା ମିଳିବ ।
ପିଲାବେଳେ ସ୍କୁଲ୍ ଆସିବା ପାଇଁ ବସ ନଥିବା ଯୋଗୁଁ ସାଙ୍ଗ ମାନଙ୍କ ସହ ଗାଁରୁ ସହରକୁ ଆସିବାକୁ ପ୍ରତିଯୋଗିତା କରୁ କରୁ ତାହା ଅଭ୍ୟାସରେ ପରିଣତ ହୋଇଗଲା । ଖେଳ ପ୍ରତି ଆଗ୍ରହ ରଖିଥିବା କିଶୋର ଚାକିରି ସମୟରେ ଏବଂ ଅବସର ପରେ ବି ଏହାକୁ ଜାରି ରଖିଛନ୍ତି । ବୟସ ହୋଇଥିଲେ ମଧ୍ୟ ଏସିଆନ ମାଷ୍ଟର୍ସ ଆଥେଲେଟ୍ ଚମ୍ପିଆନସିପରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇପାରିଛନ୍ତି ସେ । ଏହା ପାରଳାଖେମୁଣ୍ଡି ସହର ତଥା ଗଜପତି ଜିଲ୍ଲା ପାଇଁ ନିଶ୍ଚିତ ଭାବେ ଏକ ଗର୍ବର ବିଷୟ ବୋଲି ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି ।
ଇଟିଭି ଭାରତ, ଗଜପତି