ଗଜପତି: ସାରା ଦେଶ କୋରୋନାରେ ଯୁଝୁ ଥିବା ବେଳେ ମାନବିକତାର ମହାନ ନିଦର୍ଶନ ଦେଖାଇଛନ୍ତି ପୋଲିସ ବାବୁ । ଘନ ଅନ୍ଧାରରେ ଅସହାୟ ପୀଡାରେ ଛଟପଟ ହେଉଥିବା ମହିଳାଙ୍କୁ ବଢାଇଛନ୍ତି ସହାୟତାର ହାତ । ବିପଦ ବେଳେ ସାଥିରେ ଛିଡା ହୋଇଛନ୍ତି ଆଉ ନିଜସ୍ବ ଖର୍ଚ୍ଚରେ ମୃତଦେହ ସହ ମହିଳାଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଆମେ କହୁଛୁ ଶ୍ରୀକାକୁଲମ ଜିଲ୍ଲାର ଟେକଲି ଥାନାର ପୋଲିସ ଅଧିକାରୀ କମେଶ୍ବର ରାଓଙ୍କ କଥା । ଯାହାଙ୍କ ସାହାଯ୍ୟ କଥା ଶୁଣିଲେ ଆପଣ ପ୍ରଶଂସା ନକରି ରହିପାରିବେନି ।
କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ହାଇଦ୍ରାବାଦରେ ରହୁଥିବା ପ୍ରଦୀପ କର ଓ ଅଞ୍ଜଳୀ କର ଭଡା ଗାଡିରେ ଫେରୁଥିଲେ ଓଡିଶା । ହେଲେ ହଠାତ୍ ମଝି ରାସ୍ତାରେ ଶ୍ରୀକାକୁଲମ ଜିଲ୍ଲା ଟେକାଲି ନିକଟରେ କୌଣସି କାରଣରୁ ପ୍ରଦୀପଙ୍କ ମୃତ୍ୟୁ ଘଟିଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ଗାଡି ଡ୍ରାଇଭର ଅଧାରାସ୍ତାରେ ଭୁଲି ଯାଇଥିଲା ମଣିଷ ପଣିଆ । ଅଧାରାସ୍ତାରେ ମୃତଦେହକୁ ଛାଡି ଚାଲିଯାଇଥିଲେ । ସବୁଆଡୁ ଉପାୟ ଶୂନ୍ୟ ହେବା ପରେ ବିଳମ୍ବିତ ରାତିରେ ସ୍ବାମୀଙ୍କ ମୃତଦେହକୁ ଧରି ଜାତୀୟ ରାଜପଥରେ ବସି ରହିଥିଲେ ଅଞ୍ଜଳୀ । ଏହି ସମୟରେ ତାଙ୍କୁ ସାହା ହୋଇଥିଲେ ଶ୍ରୀକାକୁଲମ ଜିଲ୍ଲାର ଟେକଲି ଥାନାର ପୋଲିସ ଅଧିକାରୀ କମେଶ୍ବର ରାଓ । ପୋଲିସ ଅଧିକାରୀ ଜଣକ ନିଜସ୍ବ ଖର୍ଚ୍ଚରେ ପ୍ରଦୀପଙ୍କ ମୃତଦେହ ଏବଂ ଅଞ୍ଜଳିଙ୍କୁ ଗାଡ଼ିର ବ୍ୟବସ୍ଥା କରିଥିଲେ ।
ଏହାସହ ଆନ୍ଧ୍ର ପୋଲିସ ଅନ୍ୟାନ୍ୟ ଅଧିକାରୀଙ୍କୁ ସହଯୋଗ କରିବାକୁ ମଧ୍ୟ କହିଥିଲେ । ସେମାନଙ୍କୁ ରାସ୍ତାରେ ଯେମିତି କୌଣସି ସମସ୍ୟା ନହେବ ସେଥିପାଇଁ ଅନ୍ୟ ଥାନାଠୁ ସହଯୋଗ ଲୋଡିଥିଲେ ତେବେ ଏପରି ଏକ ବିପତ୍ତି ସମୟରେ ପୋଲିସ ଅଧିକାରୀଙ୍କ ମହାନ କାର୍ଯ୍ୟ ବେଶ୍ ପ୍ରଂଶନୀୟ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ