ଗଜପତି: କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବକୁ ସାଙ୍ଗରେ ଧରି ଆସେ । ପରିବାରଲୋକ ଖୁସିରେ ରୁହନ୍ତି ବୋଲି ବିବାହ କଲେନି । ଏବେ ମାଡି ବସିଛି ରୋଗ । ଚିକିତ୍ସା ପାଇଁ ଅର୍ଥ ନାହିଁ । ଯାହା କିଛି ଥିଲା ତାହା ଦୂରାରୋଗରେ ଖର୍ଚ୍ଚ ହୋଇଗଲା । ପରିଣତି ବୟସରେ ଏବେ ସେ ଶଯ୍ୟାସାୟୀ । ଚଳିବା ପାଇଁ ଅନ୍ୟ ଉପରେ ପାଲଟିଛନ୍ତି ବୋଝ । ଏ କାହାଣୀ ହେଉଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କେଉଟ ସାହିରେ ରହୁଥିବା ଇପିଲି ରାଜେଶ୍ବର ରାଓଙ୍କର । ଯିଏ ଦୀର୍ଘ ଦିନଧରି ହୃଦରୋଗରେ ପୀଡ଼ିତ ଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ।
ତେବେ ରାଜେଶ୍ବର ରାଓ ଅବିବାହିତ ଥିବା ବେଳେ ବୟସ 65 ହେଲାଣି । ତେଣୁ ସ୍ବାସ୍ଥ୍ୟ ଖରାପ ପରଠାରୁ ଭଉଣୀଙ୍କ ପାଖରେ ରହି ଆସୁଛନ୍ତି । ସେ ତାଙ୍କ ଜୀବନ ସାରା ପୁରୁଣା ଖବର କାଗଜ କିଣି ତାହାକୁ ଠୁଙ୍ଗା କରି ବିକ୍ରି କରୁଥିଲେ । ସେଥିରୁ ରୋଜଗାର ହେଉଥିବା ଟଙ୍କାରେ ପେଟ ପୋଷିବା ସହ ଦୁଇ ଭଉଣୀଙ୍କ ବାହାଘର ମଧ୍ୟ କରିଥିଲେ । କିନ୍ତୁ ପରିଣତ ବୟସରେ ଆଉ ଚଳାବୁଲା କରିପାରିଲେ ନାହିଁ । ତେଣୁ ଏହି କାରବାର ମଧ୍ୟ ବନ୍ଦ କରିଦେଲେ । ଏହାର କିଛି ଦିନ ପରେ ହଠାତ୍ ମାଡିଆସିଲା ହୃଦରୋଗ । ଫଳରେ ଦୁଇ ଉଭଣୀଙ୍କ ସହାୟତାରେ ଶ୍ରୀକାକୁଲମ ସ୍ଥିତି ଏକ ହସ୍ପିଟାଲକୁ ଯାଇଥିଲେ । ଡାକ୍ତର ସମସ୍ତ ପରୀକ୍ଷା କରିବା ପରେ ହୃଦ ଅସ୍ତ୍ରୋପଚାର କରିବାକୁ ପଡିବ ବୋଲି କହିଥିଲେ । ଏହାସହ ତାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ମଧ୍ୟ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଫଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ମାଧ୍ୟମରେ ଏହି ଦୁଇ ଅସ୍ତ୍ରୋପଚାର କରାଇଥିଲେ ।
ସେଥିରେ ଥିବା ୫ଲକ୍ଷ ଟଙ୍କା ସରିଯିବା ପରେ ଆଉ ଅଧିକ ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ । ତେଣୁ ରାଜେଶ୍ବର ଚିକିତ୍ସା ସୁବିଧା ନପାଇ ଘରେ ପଡି଼ ରହିଛନ୍ତି । ଦୁଇ ଭଉଣୀ ବିଭିନ୍ନ ସ୍ଥାନରେ ମୂଲ ଲାଗି ଯାହା ରୋଜଗାର କରୁଛନ୍ତି ସେଥିରେ ସେମାନଙ୍କ ପରିବାର ସହ ରାଜେଶ୍ବରଙ୍କ ଖାଇବା ଯୋଗାଡ କରିବା କଷ୍ଟକର ହୋଇପଡ଼ିଛି । ଏଭଳି ସ୍ଥିତିରେ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିବା କାଠିକର ହୋଇପଡିଛି ।
ଏହା ମଧ୍ୟ ପଢ଼ନ୍ତୁ....ରକ୍ତ କର୍କଟ ଆକ୍ରାନ୍ତ ରବୀନ୍ଦ୍ରଙ୍କ ଦୁଃଖ କାହାଣୀ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ତେବେ ସରକାର ଯୋଗାଇ ଦେଇଥିବା ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ଚିକିତ୍ସା ହୋଇଥିଲେ ମଧ୍ୟ ଏହାର ପରବର୍ତ୍ତି ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଔଷଧ ମଧ୍ୟ କିଣିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ତେଣୁ ଅନ୍ୟ ସହାୟତା ପାଇଁ ସେ ଅପେକ୍ଷା କରି ରହିଛନ୍ତି । ରାଜେଶ୍ବରଙ୍କ ସ୍ଥିତିକୁ ନେଇ ପରିବାର ଲୋକେ ଜିଲା ପ୍ରଶାସନକୁ ଜଣାଇବା ସହ ସହାୟତା ପାଇଁ ନିବେଦନ କରିଛନ୍ତି । ଏନେଇ ଏକ ଆବେଦନପତ୍ର ଆସିଛି । ତୁରନ୍ତ ତାଙ୍କୁ କିଭଳି ସହାୟତା ମିଳିବ ସେନେଇ ପଦକ୍ଷେପ ଗ୍ରହଣ କରାଯାଉଥିିବା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି ।
ଇଟିଭି ଭାରତ, ଗଜପତି