ଗଜପତି: ବୁଧବାର ଜିଲ୍ଲାରେ ଉଦଘାଟିତ ହୋଇଯାଇଛି ଗଜପତି ଉତ୍ସବ ଏବଂ ପଲ୍ଲିଶ୍ରୀ ମେଳା । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ପଲ୍ଲିଶ୍ରୀ ମେଳାର ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ । କୋରୋନା କଟକଣା ପାଇଁ ୩ ବର୍ଷ ଧରି ଗଜପତି ଉତ୍ସବ ବନ୍ଦ ଥିବା ବେଳେ ଚଳିତ ବର୍ଷ ଉଦଘାଟିତ ହୋଇଯାଇଛି । ଫଳରେ ମହୋତ୍ସବକୁ ଦେଖିବାକୁ ପ୍ରଥମ ଦିନରେ ବହୁ ଲୋକଙ୍କ ସମାଗମ ହୋଇଥିଲା ।
ଉଦଘାଟନୀ ଉତ୍ସବ ପରେ ଆରମ୍ଭ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରଥମେ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ଉକ୍ତି ସଙ୍ଗୀତ ସଂସଦର ପିଲାଙ୍କ ଦ୍ଵାରା ପ୍ରାରମ୍ଭିକ ଗୀତ ଗାନ କରିଥିଲେ । ଏହାପରେ ପଦାମୃତ ନୃତ୍ୟ ଅନୁଷ୍ଠାନ ତରଫରୁ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା । ହଜାର ହଜାର ଦର୍ଶକ ଏଥିରେ ସାମିଲ ହୋଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ । ଅନ୍ୟପଟେ ଗଜପତିବାସୀ ପଲ୍ଲିଶ୍ରୀ ମେଳାର ଭିନ୍ନ ଭିନ୍ନ ଷ୍ଟଲ ବୁଲି ବିଭିନ୍ନ ଜିନିଷ ପତ୍ର କିଣିବା ସଙ୍ଗେ ସ୍ଵାଦିଷ୍ଟ ଖାଦ୍ୟର ମଜା ନେଇଥିଲେ ।
ଏହା ମଧ୍ୟ ପଢନ୍ତୁ-ଅନୁଗୋଳ ମହୋତ୍ସବ, ପ୍ରଥମ ସନ୍ଧ୍ୟାରେ ବେନି ଦୟାଲ ପପ ଗୀତରେ ଝୁମିଲେ ଦର୍ଶକ
''ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏଠାରେ ଲୋକଙ୍କ ମନୋରଞ୍ଜନ ପାଇଁ କୌଣସି ମାଧ୍ୟମ ନାହିଁ । ସେହିଭଳି ଜିଲ୍ଲାରେ ଅନେକ ପ୍ରତିଭା ରହିଛନ୍ତି । କିନ୍ତୁ ଉପଯୁକ୍ତ ସୁଯୋଗ ଅଭାବରୁ ବଣ ମଲ୍ଲୀ ବଣରେ ଫୁଟି ମଉଳିଯାଉଛି । ତେବେ ଗଜପତି ଉତ୍ସବ ସେମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଏକ ମାଧ୍ୟମ ହୋଇଥିବାରୁ କଳାକାରମାନେ ଏହାର ସଦୁପଯୋଗ କରିବା ଆବଶ୍ୟକ । ସେହିଭଳି ଆଦିବାସୀଙ୍କ କଳା ଓ ସଂସ୍କୃତି ହେଉଛି ସର୍ବପୁରାତନ । ଏହା ସମାଜକୁ ଶୃଙ୍ଖଳିତ କରିବାରେ ସହାୟକ ହୋଇଛି । ତେଣୁ ତାହାକୁ କିଭଳି ବଜାଇ ରଖିହେବ ସେନେଇ ପ୍ରତ୍ୟେକ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।''
ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ପାରଳା ମହାଦେଇ କଲ୍ୟାଣୀ ଗଜପତି ଏବଂ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ୫ଦିନ ଧରି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଗଜପତି, ଇଟିଭି ଭାରତ