ଗଜପତି: ଜିଲ୍ଲା କାଶୀନଗର ଅଞ୍ଚଳର କାଜୁ ବ୍ୟବସାୟୀ ଜାମି ଗୋପୀଙ୍କ ୭ବର୍ଷର ପୁଅ ଅପହରଣ ଘଟଣାର ପର୍ଦ୍ଦାଫାସ । ଆଜି(ରବିବାର) ଏନେଇ କାଶୀନଗର ଥାନା ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଟଙ୍କା ପାଇଁ ଏହି ଅପହରଣ କରାଯାଇଥିଲା । ସାଢେ ୭ ଲକ୍ଷ ଟଙ୍କାର ଡିଲ ପରେ ବାଳକକୁ ଏକ ପରିତ୍ୟକ୍ତ ଘରେ ଅପହରଣକାରୀ ଛାଡି ଦେଇଥିବା ନେଇ ପୋଲିସ କହିଛି ।
ଏହି ଅପହରଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ନାବାଳକଙ୍କ ସମେତ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ଠାରୁ ୨ ଲକ୍ଷ ୨୧ ହଜାର ଟଙ୍କା, ଗୋଟିଏ ଇଣ୍ଡିଗୋ କାର, ୫ଟି ବାଇକ, ୭ଟି ମୋବାଇଲ ଏବଂ ଗୋଟିଏ ସିମକାର୍ଡ ଜବତ କରାଯାଇଛି । ତେବେ ଟଙ୍କା ପାଇଁ କାଶୀନଗର ବଡମାଜୁଲ ସାହିର କାର୍ମି ଚୈତନ୍ୟ ଏବଂ ପ୍ରଶାନ୍ତ କୌଣସି ଏକ ଧନୀ ଘରର ପିଲାଙ୍କୁ ଅପହରଣ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ । ତେବେ ଶେଷରେ ଟାର୍ଗଟରେ ଆସିଥିଲେ କାଶୀନଗର ଅଞ୍ଚଳର କାଜୁ ବ୍ୟବସାୟୀ ଜାମି ଗୋପୀ । ଚୈତନ୍ୟ ଏବଂ ପ୍ରଶାନ୍ତ ନିଜର ଯୋଜନା ମୁତାବକ ଅନ୍ୟ କିଛି ସାଙ୍ଗସାଥୀଙ୍କୁ ଧରି ଡିସେମ୍ବରପ ୧୬ତାରିଖ ସନ୍ଧ୍ୟାରେ ଗୋପୀଙ୍କ ୭ବର୍ଷ ପୁଅ ହାର୍ଦ୍ଦିକ ଖେଳୁଥିବା ସମୟରେ ଅପହରଣ କରିଥିଲେ ।
ଏହାପରେ ଆରମ୍ଭ ହୋଇଥିଳା ଟଙ୍କାର ମୂଲଚାଲ । ପ୍ରଥମେ ପିଲାକୁ ଛାଡିବା ପାଇଁ ଅପହରଣକାରୀ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ଏହା ୭ ଲକ୍ଷ ୫୦ ହଜାର ଟଙ୍କାରେ ଛିଡ଼ିଥିଲା । ଟଙ୍କା ପାଇବା ପରେ ଅପହରଣକାରୀମାନେ ପିଲାଟିକୁ ଗୋପୀଙ୍କ ଏକ ନିର୍ମାଣଧୀନ ପରିତ୍ୟକ୍ତ ଘରେ ପିଲାଟିକୁ ଛାଡିଦେଇ ଚାଲିଯାଇଥିଲେ । ଏହାପରେ ଗୋପୀଙ୍କର ଜଣେ ସମ୍ପର୍କୀୟ ଏବଂ ବ୍ୟବସାୟିକ ସହଯୋଗୀ ପିଲାଟିକୁ ଉଦ୍ଧାର କରିଥିଲେ । ତେବେ ଏନେଇ ଗୋପୀ ମୁହଁ ଖୋଲିନଥିଲେ ମଧ୍ୟ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏବଂ ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ତଦନ୍ତ ପରେ ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କୁ ଠାବ କରିବା ସହ ସେମାନଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି କାଶୀନଗର ମାଜୁଲ ସାହିର କାର୍ମି ଚୈତନ୍ୟା (୧୯), କୋଲା ଗାଁର ପ୍ରଶାନ୍ତ ଲିମା(୨୬), ଏନଏସସି ସାହିର ଗୁନାପୁ କଲ୍ୟାଣ କୁମାର(୧୯), କୋଲା ଗାଁର ବିନୋଦ ଲିମା(୨ ୨), ପୂର୍ଣ୍ଣଚନ୍ଦ୍ର ସରରା (୨୦), ହରିପୁର ଗାଁର ଜାକାବ ମିସଲ ( ୧୯) ଏବଂ ଏଥିରେ ଜଣେ ନାବାଳକ ମଧ୍ୟ ସମ୍ପୃକ୍ତ ଅଛନ୍ତି । ଏନେଇ ଗଜପତି ଏସପି ତପନ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ