ଗଜପତି: ଦିବ୍ୟାଙ୍ଗଙ୍କ ପାଇଁ ରହିଛି ଭିନ୍ନକ୍ଷମ ଭତ୍ତା । ହେଲେ ଦିବ୍ୟାଙ୍ଗଙ୍କ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ନାହିଁ କୌଣସି ସହାୟତା । ଯଦି କିଛି ଅସୁବିଧା ହୁଏ ତେବେ ନିଜ ଚିକିତ୍ସା ନିଜ ସୁବିଧାରେ । ସ୍ବାସ୍ଥ୍ୟ ବିଭାଗର ଏପରି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ମାଛମରା ଗାଁରେ ।
ଜଣେ ଦୃଷ୍ଟିହୀନ ବ୍ୟକ୍ତି ଆହତ ହୋଇ ଦୀର୍ଘ ଦିନରୁ ଶଯ୍ୟାଶାୟୀ । ଚିକିତ୍ସା ପାଇଁ ନାହିଁ ଅର୍ଥ । ଅଣ୍ଟୁନି ମାସକୁ ମିଳୁଥିବା ଭତ୍ତା । ଶେଷରେ ନିର୍ଭର ହୋଇଛନ୍ତି ସରକାର ଦେଇଥିବା କାଳିଆ ଟଙ୍କା ଉପରେ । କିନ୍ତୁ ସେ ଟଙ୍କା ବି ସରିଯିବା ପରେ ଏବେ ଭଗବାନଙ୍କ ଭରସାରେ ଏହି ବ୍ୟକ୍ତି। କାରଣ ତାଙ୍କ ଚିକିତ୍ସା ଲାଗି ନାହିଁ କୌଣସି ସରକାରୀ ଯୋଜନା ।
ମାଛମରା ଗାଁର କେ ଶ୍ୟାମସୁନ୍ଦର ରାଓଙ୍କର ଘରେ ବୁଢୀ ମାଆ ଓ ଦୃଷ୍ଟିହୀନ ପୁଅ । ତାଙ୍କୁ ସାହାଯ୍ୟ କରିବା ଭଳି ପରିସ୍ଥିତି କାହାରି ନାହିଁ । ସରକାରୀ ଯୋଜନାରେ ସେ କାଳିଆ ଟଙ୍କା ଓ ଭତ୍ତା ପାଇଲେ । ହେଲେ ଦୁର୍ଘଟଣା ଜନିତ ଚିକିତ୍ସା ଲାଗି ମିଳିଲାନି କୌଣସି ସରକାରୀ ସହାୟତା । ଆବେଦନ କରିଲେ ସୁବିଧା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ହେଲେ ଆବେଦନ କରିବ କିଏ ? ବୁଢୀ ମାଆ ନା ଦୃଷ୍ଟିହୀନ ପୁଅ ? ଅଥବା ନିଜେ ଶଯ୍ୟାଶାୟୀ ଶ୍ୟାମସୁନ୍ଦର ?
କୃଷି ସହାୟତା ପାଇଁ ସରକାର ଦେଇଥିଲେ ଟଙ୍କା । ଚଳିବା ଲାଗି ଦେଉଛନ୍ତି ମାସିକ ଭତ୍ତା । ହେଲେ ଦୁର୍ଘଟଣାରେ ଚିକିତ୍ସା ପାଇଁ ନାହିଁ କିଛି ସହାୟତା । ଆଉ ଏହି ଘଟଣା ସରକାରଙ୍କ ଯୋଜନା ପାହାଡର ଉପଯୁକ୍ତ ଲାଭ ଉପରେ ଛିଡା କରିଛି ପ୍ରଶ୍ନର ପାହାଡ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ