ଗଜପତି: ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାକୁ ପୁଣି ଫେରିଛି ଡେଙ୍ଗୁ ଆତଙ୍କ । ବର୍ତ୍ତମାନ ସୁଧା ଜିଲ୍ଲାରେ 7 ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆହୁରି ଶତାଧିକ ଲୋକେ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି । ଜ୍ବରରେ ପୀଡିତ ବ୍ୟକ୍ତିଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଏହାସହ ଗାଁରେ ମେଡିକାଲ ଟିମ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି । ତେବେ ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ପରିସ୍ଥିତି ଉପରେ ତିକ୍ଷ୍ନ ନଜର ରଖାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି ।
ଜିଲ୍ଲାରେ 7ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କୁ ଡେଙ୍ଗୁ ସଚେତନତା କରୁଥିବା ବାଘଶଳା ଅଞ୍ଚଳର ଜଣେ ଆଶା କର୍ମୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଗାଁରେ ଆହୁରି ଅନେକ ଲୋକେ ଜ୍ବରରେ ପୀଡିତ ଅଛନ୍ତି । ଏହି ଖବର ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ ବାଘଶଳାରେ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ।
ବାଘଶଳା ଅଞ୍ଚଳ 22ଜଣଙ୍କ ଦେହରେ ଡେଙ୍ଗୁ ଭୂତାଣୁ ଥିବା ସନ୍ଦେହ କରାଯାଇଥିବାରୁ ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସାରା ଜିଲ୍ଲାରେ 147ଜଣଙ୍କ ରକ୍ତ ନମୁନା ପଠାଯାଇଥିବା ସୁଚନା ମିଳିଛି । ସେଥିମଧ୍ୟରୁ 7ଜଣଙ୍କ ଦେହରେ ଡେଙ୍ଗୁ ଭୂତାଣୁ ଥିବା ସ୍ବଷ୍ଟ ହୋଇଛି । ତେବେ ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ଗତ 2 ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ବାଘଶଳା ଅଞ୍ଚଳ ରେ ଏହା ଦେଖାଦେଇଛି । ଏହି ଅଞ୍ଚଳ ରେ ଜଣଙ୍କ ଦେହରେ ଡେଙ୍ଗୁ ଭୁତାଣୁ ଚିହ୍ନଟ ହୋଇଥିବା ବେଳେ ଗାଁର ଶତାଧିକ ଲୋକେ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ଖବର ପାଇବା ପରେ ଏକ ସ୍ବତନ୍ତ୍ର ମେଡିକାଲ ଟିମ ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ।
ଡେଙ୍ଗୁ ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ପ୍ରତିବର୍ଷ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ ଏହା ଥମିବାର ନାଁ ଧରୁନି । ଯାହାକି ବର୍ତ୍ତମାନ ଚିନ୍ତାର କାରଣ ହୋଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ