ଗଜପତି: ଓଡିଶାରେ ଭିନ୍ନକ୍ଷମ କମିଶନ ପଦବୀରେ ଜଣେ ଭିନ୍ନକ୍ଷମଙ୍କୁ ନିଯୁକ୍ତି ଦିଆଯାଉ । ଏହିଭଳି ଦାବି କରିଛନ୍ତି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ମିଳିତ ମଞ୍ଚ । ଏନେଇ ଜନମତ ସଂଗ୍ରହ ମଧ୍ୟ ଆରମ୍ଭ ହୋଇଛି। ମହିଳା କମିଶନ ଭାବେ ଜଣେ ମହିଳା ରହିଥିବାବେଳେ ଅନୁସୂଚିତ ଜାତି ମିଶନ ଭାବେ ଜଣେ ସେହି ବର୍ଗର ଲୋକଙ୍କୁ ଅବସ୍ଥାପିତ କରାଯାଉଛି ।
ଦେଶର ଉତ୍ତର ପ୍ରଦେଶ, ଆସାମ, ପଞ୍ଜାବ ଏବଂ ତେଲେଙ୍ଗାନା ଭଳି ରାଜ୍ୟରେ କେନ୍ଦ୍ରର ନିୟମ ଅନୁସାରେ ଭିନ୍ନକ୍ଷମ କମିଶନ ଭାବେ ଜଣେ ଭିନ୍ନକ୍ଷମଙ୍କୁ ଅବସ୍ଥାପିତ କରାଯାଇଥିବାବେଳେ ଆଜି ଯାଏଁ ଓଡିଶାରେ ତାହା ନହେବା ଦୁର୍ଭାଗ୍ୟର କଥା । ତେଣୁ ଏହି ପଦବୀ ପାଇଁ ଜଣେ ଭିନ୍ନକ୍ଷମଙ୍କୁ ହିଁ ଦାୟିତ୍ୱ ଦେବାକୁ ଦାବି କରି ଜନମତ ସଂଗ୍ରହ କରାଯାଉଛି ଏବଂ ବିଭିନ୍ନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ମିଳିତ ମଞ୍ଚର ଆବାହକ ନିରଞ୍ଜନ ବେହେରା କହିଛନ୍ତି । ବର୍ତ୍ତମାନ ସାରା ଓଡିଶାରେ ଏହି କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ଦାବି ପୂରଣ ହେବା ଯାଏଁ ଏହା ଜାରି ରହିବ ବୋଲି ସେ କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ