ଗଜପତି: କିଛି ଦିନ ତଳେ ଗୁମ୍ମା ବ୍ଲକରେ ସରକାରୀ ଯୋଜନାରେ ବିଜୁ ଯୁବ ବାହିନୀ କିଟ୍ ବଣ୍ଟନ ବେଳେ କିଛି ବିଜେଡି କର୍ମୀମାନେ ହସ୍ତକ୍ଷେପ କରି ନିଜ ଦଳୀୟ କର୍ମୀମାନଙ୍କୁ ବେଆଇନ ଭାବେ କିଟ୍ ବାଣ୍ଟିଥିଲେ । ଏହାର ପ୍ରତିବାଦ କରିବାରୁ ବିଜେପି ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ବିଷୋୟୀଙ୍କୁ ଗିରଫ କରାଯାଇଥିଲା । ଘଟଣାକୁ ନିନ୍ଦା କରିବା ସହ କୃଷ୍ଣ ଚନ୍ଦ୍ରଙ୍କ ଗିରଫ ପ୍ରତିବାଦରେ ଗୁରୁବାର ବିଧାୟକ କେ ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରିଛି ଜିଲ୍ଲା ବିଜେପି ।
ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିଭିନ୍ନ ନାରାବାଜିରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ବିଜେପିର ରାଜ୍ୟସ୍ତରୀୟ ନେତା ଭୃଗୁ ବକ୍ସିପାତ୍ର ଯୋଗଦେଇ ଏସ୍ପି ସାରା ଶର୍ମା ଆନ୍ଦୋଳନସ୍ଥଳକୁ ଆସି ଆଲୋଚନା କରିବାକୁ ଜିଦ୍ ଧରି ବସିଥିଲେ । ଦୀର୍ଘ ସମୟ ଧରି ଆନ୍ଦୋଳନ ଜାରି ରହିବା ପରେ ଏସ୍ପି ସାରା ଶର୍ମା ବିକ୍ଷୋଭସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ ।
ଏହାପରେ ବିଜେପି କର୍ମୀମାନେ ଆନ୍ଦୋଳନରୁ ଓହରିବା ସହ ଏସ୍ପି ସାରା ଶର୍ମା ଘଟଣାର ନିରପେକ୍ଷ ତଦନ୍ତ ପ୍ରତିଶୃତି ଦେଇଥିବା ପ୍ରକାଶ କରିଛନ୍ତି ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର । ସେପଟେ ଏସ୍ପି କହିଛନ୍ତି କି ଘଟଣାରେ ଯଦି କୌଣସି ପାଲଟା ଅଭିଯୋଗ ଆସେ ତେବେ ଘଟଣାକୁ ବିଚାରକୁ ନେଇ ଉଚିତ୍ ପଦକ୍ଷେପ ନିଆଯିବ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ