ଗଜପତି: ଥମୁନି ଓଡିଶା-ଆନ୍ଧ୍ର ବିବାଦ । କୋରାପୁଟ କୋଟିଆ ବିବାଦ ଥମି ନ ଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଏକ ବିବାଦ । ଗଜପତିର ଜୀବନରେଖା କୁହାଯାଉଥିବା ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ନିର୍ମାଣ କଲାଣି ଆନ୍ଧ୍ର । ବ୍ୟାରେଜ ସମ୍ପୂର୍ଣ୍ଣ ହେଲେ ଗଜପତିର ଅନେକ ଅଞ୍ଚଳ ହେବ ଜଳମଗ୍ନ । ଆଉ କେତେକ ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହେବ । ଶହ ଶହ ବର୍ଷ ଧରି ଭିଟାମାଟିରେ ପଡି ରହିଥିବା ଲୋକେ ଏବେ ଚିନ୍ତାରେ । କୁଆଡେ ଯିବେ ଆଉ କେଉଁଠି ରହିବେ । ଏହି ପ୍ରକଳ୍ପକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି । ପ୍ରକଳ୍ପକୁ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଆପୋଷ ବୁଝାମଣାରେ ବଂଶଧାରା ନଦୀ ଉପରେ ବ୍ୟାରେଜ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି । ଚିଠିକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ରାଜ୍ୟ ସରକାର ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପୂର୍ବରୁ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କ ଦୁଃଖ ଶୁଣିବା ଦରକାର ବୋଲି କହିଛନ୍ତି ।
ସେପଟେ, ଯେଉଁ ସମୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେବେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରକଳ୍ପ ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଇଥିଲେ । ଏହାର ଶୁଣାଣି ପାଇଁ ସୁପ୍ରମିକୋର୍ଟ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଟ୍ରିବ୍ୟୁନାଲର ସଦସ୍ୟ ସଂପୃକ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ବର୍ତ୍ତମାନ ଏହି ମାମଲାର ସ୍ଥିତି କଣ ତାହାକୁ ନେଇ ଓଡିଶା ସରକାର କୌଣସି ମତ ରଖୁନଥିବା ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଏକ ଚିଠି ବର୍ତ୍ତମାନ ସାମ୍ନାକୁ ଆସିଛି । ଆନ୍ଧ୍ର ସରକାର କାଟ୍ରାଗଡା ଠାରେ ନିର୍ମାଣ କରିଥିବା ସାଇଡୱେର ପ୍ରକଳ୍ପ ଏକ ପ୍ରକାର ବିଫଳ ହୋଇଛି । ନଦୀରେ ଜଳସ୍ତର ୧.୫ ମିଟର ରହିଲେ ହିଁ ଏହି ପ୍ରକଳ୍ପ ଦେଇ ଆନ୍ଧ୍ରକୁ ପାଣି ଯାଇପାରୁଛି । ତେଣୁ ବର୍ଷା ଦୁଇମାସକୁ ବାଦଦେଲେ ଅନ୍ୟ ସମୟରେ ଏହା କାମରେ ଆସୁନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଉଭୟ ରାଜ୍ୟର ସ୍ଥାନୀୟ ଲୋକେ ।
ତେବେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପାଇଁ ନଦୀ ଉପରେ ବ୍ୟାରେଜ ନିର୍ମାଣ କରିବାକୁ ପଡିବ । ବ୍ୟାରେଜ ନିର୍ମାଣ ହେଲେ ବଂଶଧାରା ନଦୀର ସମସ୍ତ ଜଳ ଆନ୍ଧ୍ରକୁ ଯିବ । ଓଡିଶାର ଲୋକେ ବନ୍ୟା ଏବଂ ମରୁଡିର ସମ୍ମୁଖୀନ ହେବେ । ପ୍ରସ୍ତାବିତ ବ୍ୟାରେଜର ତଳ ମୁଣ୍ଡରେ ଥିବା ଗଜପତିର କାଶୀନଗର ବ୍ଲକର ଅଧିକାଂଶ ଅଞ୍ଚଳ ମରୁଭୂମିରେ ପରିଣତ ହେବ । ସେହିପରି ବ୍ୟାରେଜର ଉପର ମୁଣ୍ଡର ଲୋକେ ମରୁଡି ସହ ବନ୍ୟାର ମଧ୍ୟ ସମ୍ମୁଖୀନ ହେବେ । ସେପଟେ, ନଦୀ ପାଣି ଆନ୍ଧ୍ରକୁ ଯିବା ସହ ନଦୀ ଶଯ୍ୟାରେ ଥିବା ବାଲି ମଧ୍ୟ ସେଠାକୁ ଯିବା । ଫଳରେ ସରକାର ରାଜସ୍ବ ହରାଇବା ସହ କିଛି ଲୋକେ ନିଜ ଜୀବିକା ହରାଇବେ । ସୀମା ବିବାଦ ପରେ ନଦୀ ଜଳକୁ ନେଇ ବିବାଦ ପୁଣି ମୁଣ୍ଡ ଟେକିଛି । ତେବେ ରାଜ୍ୟ ସରକାର ଏ ଦିଗରେ କି ପଦକ୍ଷେପ ଗ୍ରହଣ କରିବେ । ତାହା ଉପରେ ଏବେ ସମସ୍ତଙ୍କ ନଜର ।
ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ