ଗଜପତି: ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମେ 22 ତାରିଖ ଯାଏଁ ଗୋଟିଏ ହେଲେ କୋରୋନା ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ମେ 23ରେ ପ୍ରଥମ କରି 4ଜଣ ଚିହ୍ନଟ ହୋଇଥିଲେ । ସେହିଦିନ ଠାରୁ ଆଜି ମଧ୍ୟରେ 427ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।
ବିଶେଷ କରି ଜୁନ 17ତାରିଖ ଠାରୁ ଆଜି ମଧ୍ୟରେ 321ଜଣ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନର ଚିନ୍ତାକୁ ବଢାଇଛି । ତେଣୁ ଏଥିରେ ରୋକ ଲଗାଇବା ପାଇଁ ରବିବାର ଠାରୁ 3ଦିନିଆ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ତେବେ ହଟସ୍ପଟ ହୋଇଥିବା ଗୋଷାଣୀ, ଗୁମ୍ମା ଏବଂ ପାରଳାଖେମୁ୍ଣ୍ଡି ସହରରେ ଏହି 3ଦିନ ସଟଡାଉନ ବଳବତ୍ତର ରହିବ । ସ୍ବାସ୍ଥ୍ୟ ସେବା ଏବଂ ଦୁଗ୍ଧ ବିକ୍ରୀକୁ ବାଦ ଦେଲେ ଅନ୍ୟ ସମସ୍ତ ସେବା ଓ ବ୍ୟବସାୟ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି । ସେହିପରି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ କୌଣସି ଲୋକଙ୍କୁ ଆସିବା ପାଇଁ ଅନୁମତି ନାହିଁ ।
ଏହାକୁ ଦୃଷ୍ଟିରେ ରଖି ରବିବାର ସକାଳ ଠାରୁ ପାରଳାଖେମୁଣ୍ଡି ସହର ସମେତ ଅନ୍ୟ 2 ବ୍ଲକରେ ମଧ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ସଟଡାଉନ୍ ଘୋଷିତ ସମସ୍ତ ଅଞ୍ଚଳର ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ କରାଯିବା ସହ ଯାଞ୍ଚ କଡାକଡି କରାଯାଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ