ଗଜପତି: ରାଜ୍ୟରେ କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି କ୍ରମରେ ରବିବାର ଗଜପତିରେ ପୁଣି 15 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 99ରେ ପହଞ୍ଚିଛି ।
ଚିହ୍ନଟ ହୋଇଥିବା 15 ଆକ୍ରାନ୍ତଙ୍କ ମଧ୍ୟରୁ 11 ଜଣ ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ କେରଳ, ତେଲେଙ୍ଗାନାରୁ ଜଣେ ଲେଖାଏଁ ଏବଂ ମହାରାଷ୍ଟ୍ରରୁ 2 ଜଣ ଫେରିଥିବା ଜଣାପଡିଛି ।
ଏମାନେ ଜିଲ୍ଲାକୁ ଆସିବା ପରେ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିଲେ। ରବିବାର ସମସ୍ତ 15 ଜଣ ଆକ୍ରାନ୍ତଙ୍କୁ କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି, ବର୍ତ୍ତମାନ ଗଜପତି ଜିଲ୍ଲାରେ 99 ଜଣ ଆକ୍ରାନ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ 60 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି 39 ଜଣ ଆକ୍ରାନ୍ତ ଆର ସୀତାପୁର ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ