ଢେଙ୍କାନାଳ: ପୁଣି ଖାକିର ଦାଦାଗିରି । ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ ନେଇ ଆସିଥିବା ଯୁବକକୁ ପୋଲିସ ଆକ୍ରମଣ । ଧକ୍କା ତଣ୍ଟିଆ ମାରିଲା ପୋଲିସ । ପରେ ଯୁବକଙ୍କୁ ଭ୍ୟାନରେ ବସାଇ ନେଇଗଲା ଥାନାକୁ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ହେବା ପରେ ଚାରିଆଡୁ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି ଏଭଳି ଘଟଣା ।
ସୂଚନା ଅନୁସାରେ, କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ ଠାରେ ଗତ ୧୧ ତାରିଖରେ ଜିଲ୍ଲାପାଳଙ୍କ ଏକ ମିଳିତ ଜନଅଭିଯୋଗ ଶୁଣାଣି ଚାଲୁଥିବା ବେଳେ ବାଟଗାଁ ପଞ୍ଚାୟତ ଗୋଡିସାହିର ଯୁବକ ବିପିନ ପରିଡା ତାଙ୍କ ଗ୍ରାମକୁ ରାସ୍ତା ନଥିବା ନେଇ ଅଭିଯୋଗ କରିବାକୁ ଆସିଥିଲେ । ଏହି ସମୟରେ ଯୁବକ ଜଣଙ୍କ ବଡ ପାଟି କରି ଅଭିଯୋଗ ଜଣାଇବା ବେଳେ ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଯୁବକଙ୍କୁ ଟାଣି ଆଣିବା ସହ ତଣ୍ଟିଆ, ଧକ୍କା ମାରି ପୋଲିସ ଭ୍ୟାନରେ ବସାଇ ଥାନାକୁ ନେଇଯାଇଛନ୍ତି ।
ତେବେ ସରକାର ପୋଲିସ ବିଭାଗକୁ 5T ଅଧିନକୁ ଆଣି ଲୋକ ମାନଙ୍କୁ ସେବା ଯୋଗାଇବାକୁ ପ୍ରୟାସ ଜାରି ରଖିଥିବା ବେଳେ କଙ୍କଡାହାଡ଼ ପୋଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି । ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିବା ବେଳେ ପୋଲିସର ଏପର୍ଯ୍ୟନ୍ତ ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ଢେଙ୍କାନାଳ