ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଜିଲ୍ଲାର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ । ପଥର ବୋଝେଇ ଟ୍ରକକୁ ଛାଡିବା ପାଇଁ 30ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କଲା ଭିଜିଲାନ୍ସ ।
ସୂଚନାଅନୁସାରେ, ଢେଙ୍କାନାଳ ତହସିଲ ଅନ୍ତର୍ଗତ ସଦେଇବେରେଣିରେ ବେଆଇନ ପଥର ଖାଦାନରୁ ଏକ ପଥର ବୋଝେଇ ଟ୍ରକକୁ ଛାଡ଼ି ଦେବା ପାଇଁ ଗ୍ରାମର ଦିଲୀପ ସେନାପତିଙ୍କ ଠାରୁ ୫୦ହଜାର ଟଙ୍କା ଦାବି କରିଥିଲେ । ମାତ୍ର ୩୦ହଜାର ଟଙ୍କାର ମୂଲ ଚାଲ ହୋଇଥିଲା । ଏ ସମ୍ପର୍କରେ ଦିଲୀପ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଫଳରେ ଆଜି ଯୋଜନା ମୁତାବକ ଏହି ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଲକ୍ଷ୍ମଣ ଦଳେଇଙ୍କୁ କାବୁ କରିଛି । ଏହା ସହିତ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଛାନ ଭିନ ଚାଲିଛି । ଫଳରେ ମହିଷାପାଟ ଅଞ୍ଚଳରେ ଲକ୍ଷ୍ମଣ ଦଳେଇଙ୍କର ଏକ ବିଶାଳ କୋଠାଘର ହୋଇଥିବାବେଳେ ବେଆଇନ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ସୂଚନା ପାଇଛି । ଏ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଲକ୍ଷ୍ମଣ ଦଳେଇଙ୍କ ତହସିଲ କାର୍ଯ୍ୟାଳୟ କାବୁ ହୋଇଥିବା ସହ ଦୋଳମଣ୍ଡପ ସାହିସ୍ଥିତ ଭଡାଘର ତଥା ତାଙ୍କ ଗ୍ରାମ ଆଠଗଡ଼ ବଡମ୍ବା ସ୍ଥିତ ପୈତୃକ ଘରେ ମଧ୍ୟ ଯାଞ୍ଚ ଆରମ୍ଭ କରିଛି ଭିଜିଲାନ୍ସ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିିଭି ଭାରତ