ଢେଙ୍କାନାଳ: ଦିନିକିଆ ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜୋରନ୍ଦା ମହିମା ଗାଦିରେ ଗାଦି ମନ୍ଦିର ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ । ବକଳ ଓ କୌପନୀଧାରୀ ସାଧୁଙ୍କୁ ଭେଟି ସାମୟିକ ପରିସ୍ଥିତିର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ କଲେ ନିବେଦନ । ଏହାପରେ ଜୋରନ୍ଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୪ ତମ ବାର୍ଷିକ ଉତ୍ସବରେ ଯୋଗଦେଇ ସ୍କୁଲର ଏକ ଲାବୋରୋଟେରୀକୁ ଲୋକର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ ।
ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗସ୍ତରେ ଢେଙ୍କାନାଳ ଯାଇ ଜୋରନ୍ଦାସ୍ଥିତ ମହିମା ଗାଦି ପରିଦର୍ଶନ କରିଛନ୍ତି । ଅପରାହ୍ନ ୨ ଟା ସମୟରେ କେନ୍ଦ୍ରମନ୍ତ୍ରୀ ମହିମା ଗାଦିର ଉଭୟ କୌପନୀ ଓ ବକଳଧାରୀ ମହିମା ସାଧୁଙ୍କୁ ଭେଟିଥିଲେ । ମହିମା ଗାଦିର ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢାର କିଛି ଜାଗା କୌପନୀଧାରୀ ସାଧୁଙ୍କ ଦଖଲରେ ରହିଥିବାବେଳେ ଏହି ଯାଗାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା । ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ବିବାଦୀୟ ସ୍ଥାନରୁ ଗତ ୨୨ ତାରିଖରେ ଉଚ୍ଛେଦ କରାଯାଇଥିଲା ।
ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ମହିମା ସ୍ୱାମୀ ଦର୍ଶନ ଓ ସନ୍ଥ ଭୀମଭୋଇଙ୍କ ବାର୍ତ୍ତା ଆଜି ସାରା ବିଶ୍ୱ ବାସୀଙ୍କୁ ପ୍ରଭାବିତ କରିଛି । ସମାଜର ଗରିବ, ନିଷ୍ପେସିତ ବର୍ଗଙ୍କ ମହଲରେ ପ୍ରଭାବ ପକାଇଥିବା ମହିମା ଧର୍ମର ଉଭୟ ଗୋଷ୍ଠୀର ଗୁଣି ଜ୍ଞାନୀ ସାଧୁମାନେ ଆପୋଷ ଆଲୋଚନା ମାଧ୍ୟମରେ ଏହି ସାମୟିକ ପରିସ୍ଥିତିର ସମାଧାନ କରିବା ଉଚିତ ।"
ତେବେ ଦୀର୍ଘ ୭୮ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଧରି ଉପାସନା କରି ଆସୁଥିବା ଉପାସନାସ୍ଥଳ ଅଖଣ୍ଡ ଧୁନୀ, ଅଖଣ୍ଡ ବତୀ ଓ ଭେକ ମନ୍ଦିରକୁ ଭାଙ୍ଗି ଉଚ୍ଛେଦ କରିଦେବା ପରେ ଏବେ ଉପସନାରୁ ବଞ୍ଚିତ ହୋଇଛନ୍ତି କୌପନୀଧାରୀ ସାଧୁ । ଏନେଇ ସେମାନଙ୍କୁ ଏକ ଉପାସନାସ୍ଥଳ ଯୋଗାଇବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ପ୍ରକାଶ କରିଛନ୍ତି କୌପନୀଧାରୀ ମହିମା ସମାଜର ମୁଖ୍ୟ ବାବା ରଘୁନାଥ ଦାସ । ସେପଟେ ଏହି ଉଚ୍ଛେଦ ସମ୍ପର୍କରେ ମନ୍ତ୍ରୀ କିଛି ଆଲୋଚନା କରିନଥିବାବେଳେ କେବଳ ଆସନ୍ତା ଜୋରନ୍ଦା ମେଳା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହିମା ଗାଦିକୁ ଆସିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ବୋଲି ବକଳଧାରୀ ସାଧୁ ସମାଜ ପକ୍ଷରୁ କୁହାଯାଇଛି ।
ଏହାପରେ କେନ୍ଦ୍ରମନ୍ତ୍ରୀ ଜୋରନ୍ଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୪ ତମ ବାର୍ଷିକ ଉତ୍ସବରେ ଯୋଗଦେଇ ସ୍କୁଲର ଏକ ଲାବରେଟୋରୀକୁ ଲୋକର୍ପଣ କରିଥିଲେ । ଏହି ଅବସରରେ ଏକ ସାଧାରଣ ସଭାରେ ଯୋଗଦେଇ ସ୍କୁଲର କୃତି ଛାତ୍ରଛତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ଢେଙ୍କାନାଳ ସହରର ବାଜିଚୌକ ଛକ ଠାରୁ ଆରମ୍ଭ କରି, କାଇମାଟି, ବେଳଟିକିରି, ତେରମାଇଲି ଓ ଜୋରନ୍ଦା ଆଦି ସ୍ଥାନ ମାନଙ୍କରେ ବିଜେପି କର୍ମୀମାନେ ସ୍ୱାଗତ କରିବା ସହ ଏକ ବିଶାଳ ବାଇକ ଶୋଭାଯାତ୍ରରେ ମହିମା ଗାଦିକୁ ପାଛୋଟି ନେଇଥିଲେ ।
ଇଟିଭି ଭାରତ, ଢେଙ୍କାନାଳ