ଢେଙ୍କାନାଳ: ଢେଙ୍କାନାଳରେ ଶିଶୁ ଶ୍ରମ ଆଇନକୁ ପିଏଚଡି ବିଭାଗ ଖୋଲାଖୋଲି ଉଲ୍ଲଙ୍ଘନ କରୁଛି । ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ପାଇପ ଲାଇନ ମରାମତି କାର୍ଯ୍ୟରେ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଉଛି । ସହରର କୁଞ୍ଜକାନ୍ତ ସ୍ଥିତ ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପାଣି ପାଇପ ମରାମତି କାମରେ ୪ ଜଣ ଶିଶୁ ନିୟୋଜିତ ଥିବା ଦେଖାଯାଇଥିଲା । ଶିଶୁ ମାନଙ୍କ ବୟସ ୧୩ ବର୍ଷରୁ ୧୫ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ଉପରେ ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ କରେଣ୍ଟ ଥିବା ବେଳେ ଠିକ ତଳେ ଗାତ ଖୋଳି ପାଇପ ଲାଇନ ଓଲ୍ଡିଂ କାମ ପରି ବିପଦପୂର୍ଣ୍ଣ କାମରେ ଏହି ଶିଶୁ ଶ୍ରମିକ ମାନେ ଲାଗିଥିବା ଦେଖିବାକୁ ମିଳିଥିଲା ।
ତେବେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ନିର୍ଦ୍ଦେଶରେ ଚାଇଲଡ଼ ଲାଇନ ଓ ଶ୍ରମ ବିଭାଗ ପକ୍ଷରୁ କର୍ମଚାରୀ ମାନେ ପହଞ୍ଚି ଏହି ଶିଶୁ ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରିଛନ୍ତି । ପରେ ଏହି ଶିଶୁ ଶ୍ରମିକ ମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିବା ବେଳେ ଶ୍ରମ ବିଭାଗ ପକ୍ଷରୁ ତନା ଘନା ଆରମ୍ଭ ହୋଇଛି । ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ପରିବାରର ଗରିବୀ ଓ ଅଭାବ ଅନଟନ ଯୋଗୁଁ ଉଦ୍ଧାର ଶିଶୁ ଶ୍ରମିକ ମାନେ ବାଧ୍ୟ ହୋଇ କାମ କରୁଥିବା ପ୍ରକାଶ କରିଛନ୍ତି ।
ପ୍ରଚଣ୍ଡ ଖରା ସାଙ୍ଗକୁ ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଖରାରେ କାମ କରିବା ନିଷେଧ ବୋଲି ସରକାର ଘୋଷଣା କରିଛନ୍ତି । ମାତ୍ର ଏହି କୁନିକୁନି ପିଲାମାନଙ୍କୁ ବିପଦପୂର୍ଣ୍ଣ ଅବସ୍ଥାରେ କଠିନ କାର୍ଯ୍ୟରେ ଜନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିୟୋଜିତ ଜରାଯାଇଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରି ତୀବ୍ର ପ୍ରତିକ୍ରିୟା କରିଛନ୍ତି । ତେବେ ଏସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ କିମ୍ବା ଶ୍ରମ ବିଭାଗ କୌଣସି ପ୍ରତିକ୍ରିୟା ଦେଉନାହାଁନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ