ଢେଙ୍କାନାଳ: ସଇତାନ ସାଜିଲା ସ୍ବାମୀ । ସାତ ଜନ୍ମର ସାଥୀ ହେବାକୁ କଥା ଦେଇ ପାଲଟିଲା ପନ୍ତ୍ରୀହନ୍ତା । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଘଟାଇଲା ନାରକୀୟ କାଣ୍ଡ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳରାମପୁରରେ ଶୁକ୍ରବାର ବାଉଁଶ ଠେଙ୍ଗାରେ ସ୍ତ୍ରୀକୁ ପିଟି ପିଟି ହତ୍ୟା । ହତ୍ୟାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ । ମୃତକ ହେଲେ ଶିବାନୀ ପ୍ରଧାନ ।
ସୂଚନା ଅନୁଯାୟୀ, ବଳରାମପୁର ରଗଡା ସାହିର ଦିଲ୍ଲୀପ ପ୍ରଧାନ ନିଜ ସ୍ତ୍ରୀର ପର ପୁରୁଷ ସହ ସମ୍ପର୍କ ଥିବା ସନ୍ଦେହ କରିଥିଲା । ଏନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶୁକ୍ରବାର ଦିଲ୍ଲୀପ ନିଜ ସ୍ତ୍ରୀ ଶିବାନୀକୁ ଏକ ବାଉଁଶ ଠେଙ୍ଗାରେ ନିର୍ମମ ଭାବେ ପିଟି ଥିଲା । ଫଳରେ ଘଟଣାସ୍ଥଳରେ ଶିବାନୀଙ୍କ ମୃତ୍ୟୁ ଘଟିଛି । ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଘରର ଡାଇନିଂ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ହତ୍ୟାକାରୀ ସ୍ବାମୀ ଦିଲ୍ଲୀପକୁ ଖୁବଶୀଘ୍ର ଗିରଫ କରିବାକୁ ପୋଲିସ ଉଦ୍ୟମ ଚଳାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ