ଢେଙ୍କାନାଳ: ଜିଲ୍ଲା ଭୁବନ ତହସିଲ ଅଞ୍ଚଳରେ ଚାଲିଛି ବେଆଇନ ମାଙ୍କଡ଼ା ପଥର ଚାଲାଣ । ଖୋଲାଖୋଲି ଭାବେ ଖଣି ଖନନ କରି ଦୈନିକ ଶହ ଶହ ଟ୍ରିପ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟୁଛି । ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହ ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଅଭିଯୋଗ କରାଯାଇଛି ।
ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ବାଲିବୋ ପଞ୍ଚାୟତ ଅନ୍ତର୍ଗତ କେଶରପୁର ଗ୍ରାମ ପଛପଟେ ରହିଥିବା ସଂରକ୍ଷିତ ଜଙ୍ଗଲ ମାଙ୍କଡା ପଥର ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଯାଇଛି । ଏହି ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ବେସରକାରୀ ଜମିରେ ଚାଲିଛି ଚୋରା ମାଙ୍କଡା ପଥର କାରବାର । ସନ୍ଧ୍ୟା ସମୟ ଗଡିଗଲେ ପାଓ୍ବାରଟେଲରର ଘଡଘଡ ଶଦ୍ଦରେ ଫାଟିପଡୁଛି ପୁରା ଜଙ୍ଗଲ । ରାତାରାତି ଟ୍ରକ ଓ ଟ୍ରାକ୍ଟର ସାହାଯ୍ୟରେ ଚାଲୁଛି ପଥର ଚୋରା ଚାଲାଣ । ଅନ୍ୟପଟେ ପଥର ଉତ୍ତୋଳନ ସ୍ଥାନ ଗୁଡିକରେ ବଡବଡ ଗର୍ତ୍ତ ହେବାରୁ ଗାଈଙ୍କ ପାଇଁ ବିପଦ ସୃଷ୍ଟି ହେଉଛି । ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ