କେନ୍ଦୁଝର: ସମାଜରେ ଦିନକୁ ଦିନ ଅସହାୟ ବାପାମାଆଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି। କେଉଁଠି ସମ୍ପତ୍ତି ପାଇଁ ପୁଅ ବାପାଙ୍କୁ ମାରି ଦେଉଛି ତ ପୁଣି କେଉଁଠି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ନିର୍ଯାତନା ଦେଉଛି । ପୁଅକୁ ଗୁଣିଗାରେଡି କରିବାକୁ ବାରଣ କରିବାରୁ ବାପାମାଆଙ୍କୁ ମାରିବାକୁ ଗୋଡ଼ାଇଲା ନୃଶଂସ ପୁଅ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାରୁଆଁ ( ଖ) ଗ୍ରାମରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଗ୍ରାମର ୬୫ ବର୍ଷୀୟ ନୃସିଂହ ସେଠୀ ତିନି ପୁଅଙ୍କର ବିବାହ କାର୍ଯ୍ୟ ସାରିଦେଇ ବଡ ପୁଅ ମାନସ ପାଖରେ ରହୁଥିଲେ । କିନ୍ତୁ ବଡ ପୁଅ ମାନସ ସେଠୀ ପ୍ରତିଦିନ ଘରେ ଗୁଣିଆ ସହିତ ମଧ୍ୟ ରାତ୍ରୀରେ ଗୁଣିଗାରେଡିରେ ପୂଜାର୍ଚ୍ଚନା କରିଥାଏ । ଗତକାଲି ଶନିବାର ବିଳମ୍ବିତ ରାତିରେ ଗୁଣିଆ ସହିତ ପୂଜାର୍ଚ୍ଚନା କରୁଥିବା ବାପା ଦେଖିଥିଲେ । ଏବଂ ଏପରି ଅନ୍ଧବିଶ୍ବାସକୁ ସେ ବିରୋଧ କରିଥିଲେ । ଏଥିରେ ପୁଅ ମାନସ ଉତ୍ୟକ୍ତ ହୋଇପଡ଼ିଥିଲା ।
ତେବେ ଆଜି ସକାଳେ ବୃଦ୍ଧ ବାପାଙ୍କୁ ଘରୁ ଘୋଷାଡି ମାଡ଼ ମାରିଥିଲା ମାନସ । ପରେ ଏକ ଧାରୁଆ ଭୁଜାଲି ଧରି ବୃଦ୍ଧ ବାପାମାଆଙ୍କୁ ଗୋଡେଇ ଥିଲା । ଘରକୁ ଫେରିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛି ନିଷ୍ଠୁର ପୁଅ । କୌଣସି ମତେ ବୃଦ୍ଧ ଦମ୍ପତି ନିଜ ଜୀବନ ବଞ୍ଚାଇ ଭୁବନ ଥାନାର ଦ୍ବାରସ୍ଥ ହେବା ସହିତ ପୁଅ ମାନସ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ