ଢେଙ୍କାନାଳ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳର ଆରାଧ୍ୟ ପ୍ରଭୂ ବଳରାମ ଜୀଉଙ୍କର ସ୍ନାନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଭୋର ୫ଟାରେ ପ୍ରଥମ ନୀତି ମଙ୍ଗଳାର୍ପଣ ପରେ ନୀତିକାନ୍ତି ମୁତାବକ ଶ୍ରୀଜୀଉ ମାନଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ପରମ୍ପରା ମୁତାବକ ପ୍ରଭୂ ବଳରାମ ପସ୍ତର ବିଗ୍ରହ ହୋଇଥିବାରୁ ମନ୍ଦିର ପରିସରରେ ଅବସ୍ଥାପିତ ଜଗନ୍ନାଥ, ବଳରାମ ଓ ମାତା ସୁଭଦ୍ରାଙ୍କ ସମେତ ଶ୍ରୀଜୀଉ ମାନଙ୍କୁ ସ୍ନାନ ବେଦୀରେ ଅଗୁର କର୍ପୂର ଆଦି ଲେପନ କରି ସ୍ନାନ ପରେ ଚନ୍ଦନ ଲାଗି କରାଯାଇଥିଲା ।
ପରେ ନୀତିକାନ୍ତି ମୁତାବକ ଶ୍ରୀଜୀଉ ମାନଙ୍କ ସୁନା ଅଳଙ୍କାର ପରିଧାନ ପୂର୍ବକ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ । ପରେ ପରେ ଅନଶର ଘରକୁ ପ୍ରଭୁଙ୍କୁ ନିଆଯାଇଥିବା ପ୍ରକାଶ କରିଛନ୍ତି ମନ୍ଦିରର ମୁଖ୍ୟ ପୁରୋଧା। ତେବେ ପ୍ରଚଣ୍ଡ ଖରା ପାଗ ସତ୍ତ୍ୱେ ଶ୍ରଦ୍ଧାଳୁ ମନେ ପ୍ରଭୁଙ୍କୁ ସ୍ନାନ ବେଦିରେ ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ଢେଙ୍କାନାଳ