ଢେଙ୍କାନାଳ: ବିଳମ୍ବରେ ହେଉ ପଛେ ଢେଙ୍କାନାଳର ପାରମ୍ପରିକ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଖୁବ ଜୋରସୋରରେ ଚାଲୁରହିଛି । ଢେଙ୍କାନାଳର ଆରାଧ୍ୟ ସିଦ୍ଧ ବଳରାମ ଜୀଉଙ୍କ ପାରମ୍ପରିକ ରଥଯାତ୍ରା ହେବକି ନାହିଁ ତାହା ସଂଶୟ ମଧ୍ୟରେ ରହିଛି । ତେବେ ବହୁ ବିଳମ୍ବରେ ହେଲେ ମଧ୍ୟ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଦେଖାଯାଇଛି ।
ରଥଯାତ୍ରା ପୂର୍ବରୁ ଏହି ରଥ ପ୍ରସ୍ତୁତ ହୋଇ ସାରିଥିବ ବୋଲି ମୁଖ୍ୟ ମହାରଣା ସନ୍ତୋଷ ଓଝା ପ୍ରକାଶ କରିଛନ୍ତି । ତେବେ ପରମ୍ପରା ମୁତାବକ ଢେଙ୍କାନାଳରେ ପ୍ରଭୁ ବଳରାମ ଜୀଉ ପାଷାଣ ବିଗ୍ରହ ହୋଇଥିବାରୁ ରଥକୁ ଆସିନଥାନ୍ତି । ଫଳରେ ଢେଙ୍କାନାଳ ରଥଯାତ୍ରାରେ ମୋଟ ଦୁଇଟି ରଥ ନିର୍ମାଣ କରାଯାଇଥାଏ । ବଡ ରଥରେ ବଳରାମଙ୍କ ମନ୍ଦିର ପରିସରରେ ଥିବା ଜଗନ୍ନାଥଙ୍କ ମନ୍ଦିରରୁ ଜଗନ୍ନାଥ ଓ ସାନରଥରେ ଦଢିବାମନ ଜୀଉଙ୍କ ମନ୍ଦିରରୁ 3 ଠାକୁର ବିଜେ ହୋଇଥାନ୍ତି ।
ଚଳିତବର୍ଷ ଲକଡାଉନ ଯୋଗୁଁ ରଥଯାତ୍ରା ହେବ କି ନାହିଁ ଏହି ଦ୍ଵନ୍ଦ ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ୧୦ଦିନ ବିଳମ୍ବରେ ଆରମ୍ଭ ହୋଇଛି । ରଥ ନିର୍ମାଣରେ ୪ଜଣ ପ୍ରମୁଖ ମହାରଣା ଓ ୨ଜଣ ସହଯୋଗୀ କାମ କରୁଥିବା ବେଳେ ବିଳମ୍ବ ଆଶଙ୍କା ନେଇ ଆହୁରି ୪ଜଣ ମହାରଣା ଓ ୨ଜଣ ସହଯୋଗୀ ସାମିଲ ହେବେ ବୋଲି ଦେବୋତ୍ତର ପକ୍ଷରୁ କୁହାଯାଇଛି ।
ଏପରିକି କୋରନା ସଂକ୍ରମଣରୁ ସୁରକ୍ଷା ପାଇଁ ଏହି ରଥ ତିଆରି କାର୍ଯ୍ୟରେ ନିୟୋଜିତ ମହାରଣା ସେବକମାନଙ୍କୁ ବଳରାମ ମନ୍ଦିର ପରିସରରେ ସଂଘରୋଧ ଘରେ ରଖାଯାଉଛି । ସେମାନଙ୍କର ସମସ୍ତ ଖାଇବା ପିଇବା ଖର୍ଚ୍ଚ ଦେବୋତ୍ତର ବିଭାଗ ବହନ କରୁଥିବା ଜଣା ପଡିଛି । ତେବେ ରଥଯାତ୍ରା ପୂର୍ବରୁ ଏହି ରଥ ନିର୍ମାଣ କାର୍ଯ୍ୟ ସରିଯିବ ବୋଲି ରଥ ତିଆରି ତଦାରଖ ଦାୟିତ୍ବରେ ଥିବା ଦେବୋତ୍ତର ନିରିକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ ପ୍ରକାଶ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ