ଢେଙ୍କାନାଳ: ହତ୍ୟାକାରୀକୁ ଗିରଫ ଦାବିରେ ଥାନା ଘେରିଲେ ମହିଳା । ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଘେରାଉ କଲେ ଶତାଧିକ ମହିଳା । କଣ୍ଟାପାଳ ଗ୍ରାମର ଚନ୍ଦ୍ରମଣି ସାହୁଙ୍କ ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବିରେ ଥାନା ଘେରାଉ କରିଛନ୍ତି ମହିଳା ।
ଗତ ଜୁଲାଇ 1 ତାରିଖ ଦିନ ଗ୍ରାମର ଏକ ନିର୍ମାଣଧୀନ କୂଅରୁ ଚନ୍ଦ୍ରମଣିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା । ସୂଚନାନୁସାରେ କଣ୍ଟାପାଳ ଗ୍ରାମର ଚନ୍ଦ୍ରମଣି ସାହୁ ଗତ ଜୁନ ୨୯ ତାରିଖ ଠାରୁ ନିଖୋଜ ଥିଲେ । ନିଖୋଜର ୨ ଦିନ ପରେ ଅର୍ଥାତ ୧ ତାରିଖ ଦିନ କୂଅରୁ ତାଙ୍କ ମୃତଦେହ ଠାବ କରାଯାଇଥିଲା । ଏନେଇ ପରିବାର ତରଫରୁ କଙ୍କଡାହାଡ ଥାନାରେ ହତ୍ୟା ମାମଲା ରୁଜୁ କରାଯାଇଥିଲା । ତେବେ ପରିବାର ଲୋକେ ବାରମ୍ବାର ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହି ଘଟଣାକୁ ୨୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ । ଯାହା ଫଳରେ ଆଜି ହତ୍ୟାକାରୀକୁ ଗିରଫ ଦାବିରେ ଥାନା ଘେରାଉ କରାଯାଇଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ