ଢେଙ୍କାନାଳ: ମୋଟ ୫୮ଟି ପଞ୍ଚାୟତରେ ତ୍ରିସ୍ତରୀୟ ପଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଶେଷ ହୋଇଛି । ତେବେ ରାଜସ୍ୱ ଗ୍ରାମର ମାନ୍ୟତା ଦାବିରେ ସଦର ବ୍ଲକ ଦୁର୍ଗାପ୍ରସାଦ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ଦୁଇଟି ବୁଥ୍ରୁ ଖାଲି ଫେରିଲା ଭୋଟବାକ୍ସ ।
ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକର ୩୦ ଟି ଓ ଓଡ଼ପଡା ବ୍ଲକର ୨୮ଟି ପଞ୍ଚାୟତରେ ଭୋଟ ଗ୍ରହଣ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ତେବେ ଗାଁ ପାଖରେ ବେଆଇନ ଭାବେ ହୋଇଥିବା କୁକୁଡ଼ା ଫାର୍ମକୁ ଉଚ୍ଛେଦ ଦାବିରେ ସଦର ବ୍ଲକ ଅନ୍ତର୍ଗତ ଭାପୁର ପଞ୍ଚାୟତର ମହୁଳପୁଞ୍ଜି ଗ୍ରାମବାସୀ ମଧ୍ୟ ଭୋଟ ବର୍ଜନ କରିଥିଲେ । କିନ୍ତୁ ଢେଙ୍କାନାଳ ଉପଜିଲ୍ଲାପାଳ ଏହି ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି ଦେବାପରେ ଦିନ ପ୍ରାୟ ସାଢ଼େ ୧୧ଟାରୁ ଏଠାରେ ମତଦାନ ଆରମ୍ଭ ହୋଇଥିଲା ।
ସେପଟେ ରାଜସ୍ୱ ଗ୍ରାମର ମାନ୍ୟତା ଦାବିରେ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ପଞ୍ଚାୟତର ଦୁର୍ଗାପ୍ରସାଦ ଗ୍ରାମ ବାସୀ ପୂର୍ବରୁ ଭୋଟ ବର୍ଜନ ଦେଇଥିବା ଧମକରେ ଅଟଳ ରହିଥିବା ଜଣାପଡିଛି । ଫଳରେ ଏହି ଗ୍ରାମରେ ରହିଥିବା ଦୁଇଟି ବୁଥ ନଂ ୧୧ ଓ ୧୨ରେ କୌଣସି ମତଦାନ ନହୋଇ ଖାଲି ଫେରିଛି ବାଲଟ ବକ୍ସ । ଏହି ଗ୍ରାମରେ ଭୋଟର ସଂଖ୍ୟା ୧୦୫୦ ରହିଥିବା ଜଣେ ମଧ୍ୟ ମତଦାନ କରି ନାହାନ୍ତି । ଭୋଟ ବର୍ଜନ କରି ଗ୍ରାମବାସୀ ଗାଁ ସ୍କୁଲରେ ରହିଥିବା ବୁଥ ସମ୍ମୁଖରେ ଧାରଣା ଦେଇଥିଲେ ।
ଏପରିକି ଗାଁ ମୁଣ୍ଡରେ ଟାୟାର ଜାଳି ପ୍ରତିବାଦ ମଧ୍ୟ କରିଥିଲେ । ଏହା ସତ୍ତ୍ୱେ ଏହି ଗ୍ରାମକୁ କେହି ସରକାରୀ ପ୍ରଶାସନିକ ଅଧିକାରୀ ଆସିନଥିଲେ । କେବଳ ପୋଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଆଧିକ୍ଷକ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ରାଜସ୍ୱ ଗ୍ରାମର ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଭୋଟ ଦେବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ ଗ୍ରାମବାସୀ । ଫଳରେ ବେଲଟିକିରି ପଞ୍ଚାୟତର ଏହି ଦୁଇଟି ବୁଥ୍ରେ ଭୋଟ ଗ୍ରହଣ ହୋଇପାରିନାହିଁ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ