ଢେଙ୍କାନାଳ: ଗେଲ ଇଣ୍ଡିଆର ଗ୍ୟାସ ପାଇପ ଲାଇନ ସବ୍-ଷ୍ଟେସନ କାର୍ଯ୍ୟକୁ ବିରୋଧ । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଖୁଣ୍ଟବାଟି ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ଗୁରୁବାର ଗ୍ୟାସ ପାଇପ ଲାଇନ ବିଛାଇବାକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଯାହାକୁ ନେଇ ପୋଲିସ ଗ୍ରାମବାସୀଙ୍କ ବିରୋଧରେ ଗିରଫଦାରୀ ଆରମ୍ଭ କରିଛି । ଏପରିକି ଗ୍ରାମର ପ୍ରାୟ ୪୦ରୁ ଊର୍ଦ୍ଧ ପୁରୁଷ ଓ ମହିଳାଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି । ସେପଟେ ଗିରଫଦାରୀ ଭୟରେ ଶୂନଶାନ ହୋଇଯାଇଛି ଖୁଣ୍ଟବାଟି ଗ୍ରାମ ।
ସୂଚନା ଅନୁସାରେ ଗେଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ଗ୍ରାମର ସ୍କୁଲ ପାଖ ଏକ ଗୋଚର ଜମିରେ ଗ୍ୟାସ ପାଇପ ଲାଇନ ବିଛାଇବାକୁ ନେଇ ଏକ ସବ୍-ଷ୍ଟେସନ ନିର୍ମାଣ କରାଯାଉଥିଲା । ଯାହାକୁ ଗ୍ରାମବାସୀ ମାନେ ଆରମ୍ଭ ଦିନଠାରୁ ବିରୋଧ କରି ଆସୁଥିଲେ l ଏହାକୁ ବିରୋଧ କରି ଗ୍ରାମବାସୀମାନେ ଗତ ଦୁଇ ଦିନ ହେବ କମ୍ପାନୀ କାମ କରୁଥିବା ସବ୍-ଷ୍ଟେସନ ସାମ୍ନାରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ ।
ପୋଲିସ ଏକତରଫା ଭାବେ ଲୋକଙ୍କୁ ଭୟଭୀତ କରାଇ ମୃଦୁ ଲାଠି ଚାଳନା କରିଥିଲା । ଯାହାକୁ ନେଇ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ