ଢେଙ୍କାନାଳ: ଆମର ଦରକାର ଚାଷୀ ସରକାର । ଯେଉଁ ସରକାର ଚାଷୀମାନଙ୍କ ସମସ୍ୟା ବୁଝି ପାରିବେ ସେପରି ସରକାର ଗଠନ କରିବାକୁ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ଏନେଇ ଢେଙ୍କାନାଳ ସହର ସ୍ଥାନୀୟ ଅମଲାପଡା ସ୍ଥିତ ଶିବ ମନ୍ଦିର ନିକଟରେ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେଵ ନନ୍ଦ ପ୍ରମୁଖ କୃଷକ ନେତା ଯୋଗ ଦେଇଥିଲେ ।
ତେବେ ସମଗ୍ର ଦେଶରେ ୮୦ ପ୍ରତିଶତ ଚାଷୀ ସେମାନଙ୍କ ନାର୍ଯ୍ୟ ଦାବି କରି ଆସୁଥିଲେ ମଧ୍ୟ ନିର୍ବାଚିତ ସରକାରମାନେ ଚାଷୀମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଚାଷୀମାନଙ୍କୁ ପ୍ରତାରଣା କରି ଆସୁଛନ୍ତି । ଏପରିକି ରାଜ୍ୟରେ ଚାଷୀ ମାନେ ସେମାନଙ୍କ ବେଉଷା ଛାଡିବାରେ ଲାଗିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ପ୍ରତିକ ସ୍ଥିତିରେ କୃଷି ସଂକଟାପନ୍ନ ସ୍ଥିତିରେ ପହଞ୍ଚିଛି। ଏଭଳି ଗୁରୁତ୍ୱପୂର୍ଣ ସମୟରେ କୃଷି ଓ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏକ କୃଷକ ସରକାରର ଆବଶ୍ୟକତା ଦେଖାଦେଇଛି । ଫଳରେ ସମସ୍ତ ଚାଷୀ ଏକଜୁଟ ହୋଇ ଏକ ଚାଷୀ ବା କୃଷକ ସରକାର ଗଠନ କରିବା ଦରକାର ବୋଲି ବୈଠକରେ ନିଷ୍ପତି ହୋଇଥିବା ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ‘ଆମର ଦରକାର ଚାଷୀ ସରକାର’ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ
ବିଭିନ୍ନ ସମୟରେ ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ନେଇ ଅନେକ ଚାଷୀଙ୍କର ଧନ ଜୀବନ ନଷ୍ଟ ହେବାରେ ଲାଗିଛି l ଯାହାକୁ ନେଇ ଚିନ୍ତାରେ ଚାଷୀ l ଏହାର ପ୍ରତିକାର ସରକାର ଶୁଣୁ ନଥିବାରୁ ଚାଷୀମାନେ ଅଭିଯୋଗ କରିଛନ୍ତି l ହାତୀ ଉପଦ୍ରବ କାରଣରୁ ଚାଷୀମାନେ ବାଧ୍ୟ ହୋଇ ଚାଷ କାର୍ଯ୍ୟରୁ ଧୀରେଧୀରେ ବିମୁଖ ହେବାରେ ଲାଗିଛନ୍ତି l ଏହି ଅବସରରେ ଢେଙ୍କାନାଲ ଜିଲ୍ଲାର ଶତାଧିକ କୃଷକ ଯୋଗ ଦେଇ ସଙ୍ଗଠନକୁ ମଜଭୁତ କରିବାକୁ ମତ ବ୍ୟକ୍ତ କରିଥିଲେ ।
ତେବେ ଏନେଇ ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି , "ଆମେ ଏକ ନୂଆ ଫର୍ଦ୍ଦ ଯୋଡିବାକୁ ଯାଉଛି । ୧୨ ବର୍ଷର ପ୍ରାଇସ, ପ୍ରେଷ୍ଟିଜ ଓ ପେନ୍ସନ୍ର ଯେଉଁ ଆନ୍ଦୋଳନ କଲୁ ଆଉ ସେଥିପାଇଁ ବାରମ୍ବାର ଭୁବନେଶ୍ବର ଯିବାକୁ ଚେଷ୍ଟା ସତ୍ତ୍ବେ ସରକାର ପୁରେଇ ଦେଲେ ନାହିଁ । ଏଥିପାଇଁ ୮୦ ଭାଗ ଚାଷୀଙ୍କୁ ଭାଗ ଭାଗ କରି ଦିଆଯାଇଛି । ଆଉ ଚାଷୀକୁ ଭାଗଭାଗ କରିଦେବା ପରେ ସରକାର ଯିଏ ବି ଯାଉଛି ସେ ଚାଷୀ କଥା ଶୁଣୁନି । ସେଥିପାଇଁ ଆମେ ଏଥର ନିଷ୍ପତ୍ତି ନେଇଛୁ ଆମର ଦରକାର ଚାଷୀ ସରକାର ।"
ଇଟିଭି ଭାରତ, ଢେଙ୍କାନାଳ