ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟ ନାମକ ଏଜ ଘରୋଇ ଶିକ୍ଷାନୁଷ୍ଠାନରୁ ୫୬ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ ପଜିଟିଭ ଚିହ୍ନଟ ଘଟଣାକୁ ନେଇ ରାଜ୍ୟବ୍ୟାପି ଅଭିଭାବକ ମାନେ ପିଲାଙ୍କ ସୁରକ୍ଷା ନେଇ ଚିନ୍ତାରେ ପଡିଯାଇଛନ୍ତି । ଏପଟେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇକୃପା ଅବସ୍ଥିତ ଢେଙ୍କାନାଳ ପୋୖରାଞ୍ଚଳ ୱାର୍ଡ ନଂ.୨ କୁଞ୍ଜକାନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି । ଏପଟେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଖାତିର ନକରି କୋଭିଡ ସଂକ୍ରମିତ ଛାତ୍ରଛାତ୍ରୀ ମାନଙ୍କୁ ସାଇକୃପା କଲେଜ କର୍ତ୍ତୃପକ୍ଷ ଘରକୁ ଛାଡି ଦେଇଥିବାରୁ ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, କେନ୍ଦୁଝର ଆଦି ଜିଲ୍ଲାରେ ଏହି ପିଲାମାନେ ସଂକ୍ରମଣ ଆଶଙ୍କା ସୃଷ୍ଟି କରିଛନ୍ତି ।
ଫଳରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ଜିଲ୍ଲା ମାନଙ୍କୁ ପିଲାଙ୍କ ଟ୍ରେସିଂ ସୂଚନା ଦେଇ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି । ଏପରିକି ଢେଙ୍କାନାଳ ସହରର ୱାର୍ଡ ନଂ.୨ ଅଞ୍ଚଳକୁ କଣ୍ଟେନମେଣ୍ଟ ହୋଇଥବା ବେଳେ ସାଇକୃପା କଲେଜ ଓ ହଷ୍ଟେଲ ସିଲ କରିବା ସହ ତାଙ୍କ ଅଧ୍ୟକ୍ଷ ଓ ମାଲିକଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି । ଏହି ଅଞ୍ଚଳରେ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହି କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରିଦେଇଛନ୍ତି ।
ଏପରିସ୍ଥଳେ ଏହି କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଥିବା ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ସ୍ଥିତି ସ୍ୱାଭାବିକ ରହିଥିବା ବେଳେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସୂଚନା ଦେଇନଥିବା ପ୍ରକାଶ କରିଛନ୍ତି । ଏପଟେ କଲେଜ ପିଲାଙ୍କ କୋଭିଡ ପଜିଟିଭ ଚିହ୍ନଟ ପରେ ଅନ୍ୟ କଲେଜ ଗୁଡି଼କରେ ପିଲାମାନେ ଭୟଭୀତ ଅବସ୍ଥାରେ ରହିଥିବା ପ୍ରକାଶ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ