ଢେଙ୍କାନାଳ: ଜିଲ୍ଲାରେ ମାତିଲେ ଲୁଟେରା, ବନ୍ଧୁକ ଓ ଭୁଜାଲି ଦେଖାଇ ବ୍ୟବସାୟୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ପରଜଙ୍ଗ ବଜାର ସ୍ଥିତ ଲଳିତ କ୍ଲଥ ଷ୍ଟୋର ମାଲିକ ଅଙ୍କିତ ମୁନ୍ଦରାଙ୍କ ଠାରୁ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ସହ ସୁନା ଚେନ ଓ ୩ଟି ମୋବାଇଲ ଲୁଟି ନେଇଛନ୍ତି ଲୁଟେରା । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ବୁଧବାର ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ବାର୍ଡ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ବ୍ୟବସାୟୀ ଜଣଙ୍କ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି ।
ସୂଚନା ମୁତାବକ ଅଷ୍ଟମୀ ପାଇଁ ବୁଧବାର ସନ୍ଧ୍ୟାରେ ଲଳିତ କ୍ଲଥ ଷ୍ଟୋରରେ ପ୍ରବଳ ଭିଡ଼ ଥିବାରୁ ଦୋକାନ ବନ୍ଦ କରିବାକୁ ଟିକେ ବିଳମ୍ୱ ହୋଇଥିଲା । ତେବେ ବିଳମ୍ବିତ ରାତିରେ ଷ୍ଟୋର ମାଲିକ ଅଙ୍କିତ ମୁନ୍ଦରା ଦୋକାନ ବନ୍ଦ କରୁଥିବାବେଳେ ଏହାର ସୁଯୋଗ ନେଇ ୬ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ଫାଙ୍କା ଗୁଳି ଚଳାଇଥିଲେ । ଏହାପରେ ଷ୍ଟୋର୍ ମାଲିକଙ୍କୁ ଭୁଜାଲି ଦେଖାଇ ନଗଦ ୫୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ସହ ସେ ପିନ୍ଧିଥିବା ସୁନା ଚେନ୍ ଓ ତିନୋଟି ମୋବାଇଲ ଲୁଟି ନେଇ ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ ।
ଯାହାର ଭିଡ଼ିଓ ଦୋକାନରେ ଲାଗିଥିବା ସିସିଟିଭିରେ ସମ୍ପୂର୍ଣ ରେକର୍ଡ ହୋଇଛି । ଏନେଇ ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏହାପରେ ବୁଧବାର ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ଡଗ ସ୍କାର୍ଡ ପହଞ୍ଚି CCTV ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି । ତେବେ କିଛିଦିନ ତଳେ ଥାନା ଠାରୁ କିଛି ମିଟର ଦୂରରେ ଥିବା ଏକ ଘରୁ ଲୁଟ ହୋଇଥିଲା, ଏହାପରେ ମଙ୍ଗଳବାର ବଜାର ମଧ୍ୟରୁ ଚୋରି ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ପୋଲିସ ଦୁର୍ବୃତ୍ତଙ୍କ କୌଣସି ପତ୍ତା ପାଇପାରିନାହିଁ ।
ଯାହାକୁ ନେଇ ସନ୍ଧ୍ୟା ହେଲେ ପରଜଙ୍ଗବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ପୋଲିସ ପକ୍ଷରୁ କିଭଳି ରାତିରେ ପାଟ୍ରୋଲିଂକୁ କଡାକଡି କରାଯିବ ସେନେଇ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି । ନଚେତ ଏ ନେଇ ଆଗାମୀ ଦିନରେ ରାଜରାସ୍ତା ବନ୍ଦ କରାଯିବ ବୋଲି କହିଛନ୍ତି ବଜାର କମିଟି ସଭାପତି ।
ଇଟିଭି ଭାରତ, ଢେଙ୍କାନାଳ