ଢେଙ୍କାନାଳ: ରାଜ୍ୟରେ ଲୋପ ପାଇବାକୁ ବସିଥିବା ଖୋ ଖୋ ଖେଳ ପାଇଁ ଢେଙ୍କାନାଳକୁ ଭୂୟସୀ ପ୍ରଶଂସା । ଢେଙ୍କାନାଳ ଜିଲ୍ଲା କାଣ୍ଡବିନ୍ଧା ଗାଁର ପିଲାମାନେ ଜାତୀୟସ୍ତରରେ ଖେଳି ବେଶ ପ୍ରଶଂସା ସାଉଁଟିଛନ୍ତି । ଏହି ଗାଁର ପିଲାଙ୍କୁ ସତ୍ୟ ରଞ୍ଜନ ଏକାଡେମୀ ପକ୍ଷରୁ ଖୋଖୋ ତାଲିମ ଦିଆଯାଉଛି ।
ଏହି ଗାଁରୁ କୁନା ବେହେରା ଓ ସତ୍ୟଜିତ ସାହୁ ଜାତୀୟସ୍ତରରେ କନିଷ୍ଠ ଖେଳାଳି ଭାବେ ଖେଳିବା ସହ ଉଲ୍ଲେଖନୀୟ ସଫଳତା ପାଇଛନ୍ତି । ସେହିପରି ବିଶ୍ବବିଦ୍ୟାଳୟ ପକ୍ଷରୁ ଜାତୀୟ ସ୍ତରକୁ ଶେଷଦେବ ନାୟକ ଓ ଗୁଲସନ ଓଝା ମନୋନୀତ ହୋଇଥିବାରୁ କାଣ୍ଡବିନ୍ଧା ଗ୍ରାମରେ ଉତ୍ସାହର ମାହୋଲ ରହିଛି । ଏହି ଉପଲକ୍ଷେ ସତ୍ୟରଞ୍ଜନ ଏକାଡେମୀ ପକ୍ଷରୁ କାଣ୍ଡବିନ୍ଧା ଗ୍ରାମ ହାଇସ୍କୁଲ ପଡିଆରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି ।
ଏକାଡେମୀର ସଭାପତି ସତ୍ୟବାନ ପାତ୍ରଙ୍କ ସଭାପିତତ୍ବରେ ଏହି ଉତ୍ସବରେ ଢେଙ୍କାନାଳ ଜିଲ୍ଲା ବାଣିଜ୍ୟ ସଂଗଠନର ସଭାପତି ରାଜେନ୍ଦ୍ର ଦାସ ଓ ସମ୍ପାଦକ ରାଜେନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ