ଢେଙ୍କାନାଳ: ଯୋରନ୍ଦା ମଠରେ ଧୁମଧାମରେ ଚାଲିଛି ବିଶ୍ବପ୍ରସିଦ୍ଧ ମାଘ ମେଳା । ଅଲେଖ ମହିମା ଧ୍ବନୀରେ ପ୍ରକମ୍ପିତ ହେଉଛି ଢେଙ୍କାନାଳ ଯୋରନ୍ଦାର ମହିମା ଗାଦି । ଗାଦି ପୀଠରେ ଦେଶର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ସନ୍ଧ୍ୟା ପରେ ଗାଦି ମନ୍ଦିର ଚତୁର୍ପାଶ୍ବରେ ଝାଡବତୀରେ ମହଣମହଣ ଘିଅ ଢାଳି ଜଗତର କଲ୍ୟାଣ ମନାସୁଛନ୍ତି ମହିମା ସାଧୁ । ସେପଟେ ମୁଣ୍ଡନ ପର୍ବରେ ସାମିଲ ହେଉଛନ୍ତି ହଜାରହଜାର ମାନସିକଧାରୀ ।
ମାଘ ମାସ ଶୁକ୍ଳ ଚତୁର୍ଦଶୀ ଅବସରରୁ ଆରମ୍ଭ ହୋଇ ବେଶ ଧୁମଧାମରେ ଚାଲିଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ସାରା ଦେଶର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ମହିମାଧର୍ମର ମୁଖ୍ୟ ପୀଠ ଏହି ଯୋରନ୍ଦା ମହିମ ଗାଦିରେ ସମାଗମ ହୋଇଛନ୍ତି । ସନ୍ଧ୍ୟା ପରେ ଗାଦି ମନ୍ଦିର ଚାରିଦ୍ବାରରେ ପ୍ରଜ୍ବଳିତ ଝାଡବତୀରେ ମହଣ ମହଣ ଘୃତାହୁତି କରି ଜଗତର କଲ୍ୟାଣ ମନାସୁଛନ୍ତି ମହିମା ସାଧୁ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମହିମା ଅଲେଖ ଧ୍ବନୀରେ ପ୍ରକମ୍ପିତ ହେଉଛି ଢେଙ୍କାନାଳର ମହିମା ଗାଦି । ଆଜି ମେଳାର ଦ୍ବିତୀୟ ଦିବସରେ ମହିମା ସାଧୁମାନେ ଗୁରୁ ପୁର୍ଣ୍ଣିମା ଉତ୍ସବ ପାଳନ କରୁଛନ୍ତି । ଭୋର ସମୟରୁ ମହିମା ନୀତିକାନ୍ତିରେ ସାଧୁମାନେ ପ୍ରଭୁ ଅଲେଖ ସ୍ବାମୀଙ୍କ ସେବା ଲାଗିପଡିଛନ୍ତି । ଗତ ଦୁଇ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ଲକ୍ଷଲକ୍ଷ ସଂଖ୍ୟାରେ ମହିମା ଗାଦିରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଅହେତୁକ ଭାବେ ବଢୁଥିବା ପରିଲକ୍ଷିତ ହୋଇଛି ।
ମହିମା ଗାଦିର ଅଖଣ୍ଡବତୀ ମନ୍ଦିର, ଶୂନ୍ୟ ମନ୍ଦିର, ଏକୋଇଶି ହାତିଆ ମନ୍ଦିର ସାଙ୍ଗକୁ ସାଧୁ ମାନଙ୍କର ନିଭିନ୍ନ ଆଶ୍ରମ ମଣ୍ଡଳରେ ଭକ୍ତ ମାନଙ୍କର ଲାଗି ରହିଛି ଖଚାଖଚ୍ ଭିଡ଼ । ଏହା ମଧ୍ୟରେ ମୁଖ୍ୟ ଗାଦି ମନ୍ଦିର ଚାରିଦ୍ବାରରେ ଅଖଣ୍ଡ ଧୁନୀରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜର ଭୋଗରାଗ ଅର୍ପଣ କରି ପ୍ରଭୁ ଶୁନ୍ୟଦେହୀଙ୍କ ସରଣ ପାଇଁ ବ୍ୟାକୁଳ ହୋଇପଡୁଛନ୍ତି । ସେପଟେ ଉଭୟ ସାଧୁ ଗୋଷ୍ଠୀଙ୍କ ବିବାଦର ଅସ୍ଥାୟୀ ସମାଧାନ ମୁତାବକ ଅଖଣ୍ଡ ଜ୍ୟୋତି ମନ୍ଦିରରେ କୌପନୀଧାରୀ ସାଧୁ ଓ ଶ୍ରଦ୍ଧାଳୁମାନେ ଧୁନୀ ଜାଳୁଥିବା ଜଣାପଡିଛି । ଏହି ମନ୍ଦିର ପାର୍ଶ୍ଵରେ କୌପନୀଧାରୀ ସାଧୁଙ୍କ ଭଜନ ମଣ୍ଡପରେ ଭଜନ କୀର୍ତ୍ତନରେ ବିଭୋର ହୋଇପଡୁଛନ୍ତି ମହିମା ସନ୍ୟାସୀ ଓ ଶ୍ରଦ୍ଧାଳୁ । ତେବେ ମହିମା ପରମ୍ପରା ମୁତାବକ ନିଜ ପିଲାମାନଙ୍କର ସୁସ୍ଥ ଓ ନିରାମୟ ଜୀବନ ପାଇଁ ବାଳ ସନ୍ୟାସୀ ଓ ମୁଣ୍ଡନ ପର୍ବରେ ହଜାରହଜାର ମାନସିକଧାରୀମାନେ ମୁଣ୍ଡନ ହେଉଛନ୍ତି ।
ତେବେ ସନ୍ଧ୍ୟା ପରେ ଏହି ଜନ ସମାଗମ ଅପେକ୍ଷାକୃତ ବଢୁଥିବା ବେଳେ ଝାଡ଼ବତୀର ଆଲୁଅରେ ବେଶ ଆକର୍ଷଣୀୟ ହୋଇପଡୁଛି ମୁଖ୍ୟ ଗାଦି ମନ୍ଦିର । ଗାଦି ମନ୍ଦିର ଚାରିଦ୍ବାରରେ ଝାଡ଼ ଦୀପରେ ମହଣମହଣ ଘୃତାହୁତି କରି ଜଗତର କଲ୍ୟାଣ ମନାସୁଛନ୍ତି ମହିମା ସାଧୁ । ଲକ୍ଷଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଉଛୁଳି ଉଠୁଛି ଗାଦି ମନ୍ଦିର ପରିସର । ସାଧୁ ଓ ସନ୍ୟାସୀଙ୍କ ଭଜନ କୀର୍ତ୍ତନ ସାଙ୍ଗକୁ ଅଲେଖ ମହିମା ଧ୍ବନୀରେ ପ୍ରକମ୍ପିତ ହୋଇଠୁଛି ସମଗ୍ର ମହିମା ଗାଦି । ତେବେ ଲକ୍ଷଲକ୍ଷ ସଂଖ୍ୟାରେ ଜନ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ଓ ସ୍ବାସ୍ଥ୍ୟ ପରିମଳ ତଥା ମେଳା ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ।
ଇଟିଭି ଭାରତ, ଢେଙ୍କାନାଳ