ଢେଙ୍କାନାଳ: ଆଜି(ରବିବାର) ଭାଦ୍ରବ ମାସର ଅନ୍ତିମ ରବିବାର । ଆଉ ନିଜ ଭାଇର ମଙ୍ଗଳ ମନାସି ଗାଁ ଗାଁରେ ଝିଅମାନେ କରିଥାନ୍ତି ମା' ମଙ୍ଗଳାଙ୍କ ପୂଜା । ଗତ ଏକ ମାସ ଧରି ପ୍ରତ୍ୟେକ ରବିବାର କରୁଥିବା ଖୁଦୁରୁକୁଣୀ ଓଷାର ଆଜି ହେଉଛି ଉଦଯାପନ ପୂଜା । ତେବେ ଢେଙ୍କାନାଳ ଜିଲ୍ଲାର ବଳରାମ ପୁର ଗ୍ରାମରେ ବେଶ ଧୁମଧାମରେ ଝିଅମାନେ ଏହି ଓଷାର ଅନ୍ତିମ ରବିବାରକୁ ପରମ୍ପରାର ସହ ପାଳନ କରୁଥିବା ଦେଖିବାକୁ ମିଳିଛି ।
ଆଜି ଉଦଯାପନ ଥିବାରୁ ଏହି ଖୁଦୁରୁକୁଣୀ ଓଷା ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ଏପରିକି ବଳରାମପୁରଗ୍ରାମରେ ବିଭିନ୍ନ ସାହି ଝିଅମାନେ ୨୦ରୁ ଊର୍ଦ୍ଧ୍ବ ମଣ୍ଡପରେ ମା' ଭାଲୁଙ୍କୁଣୀଙ୍କୁ ପୂଜା କରୁଛନ୍ତି । ସକାଳୁ ସକାଳୁ ସ୍ବତନ୍ତ୍ର ନୀତିରେ ବାଲୁକା ପୂଜା ପରେ ସମ୍ମିଳିତ ହୋଇ ପୂଜା ମଣ୍ଡପରେ ହୋମ ଯଜ୍ଞ କରି ମା'ଙ୍କର ପୂଜାର୍ଚନା କରିଛନ୍ତି । ପୂଜା ମଣ୍ଡପ ମାନଙ୍କରେ ବେଶ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ଘଣ୍ଟ ଘଣ୍ଟି ଓ ହୁଲହୁଳିରେ ସମଗ୍ର ବଲରାମପୁର ଗ୍ରାମ ଏକ ଆଧ୍ୟାତ୍ମିକ ପରିବେଶରେ ବୁଡି ରହିଛି ।
ତେବେ ଚଳିତ ବର୍ଷ କୋଭିଡ କଟକଣା ଟିକେ କୋହଳ ଥିବାରୁ ଝିଅମାନଙ୍କ ମନରେ ଉତ୍ସାହ ଦେଖାଦେଇଛି । ତେବେ ପୂଜା ରୀତିନୀତି ଅନୁଯାୟୀ ଆଜି ଅନ୍ତିମ ରବିବାର ଥିବାରୁ ଏହି ପୂଜାକୁ ଉଦଯାପନ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିଥିବା ପ୍ରକାଶ କରିଛନ୍ତି ମାନସିକଧାରୀ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ