ଢେଙ୍କାନାଳ : ପୁଣି ସଂକ୍ରମଣ ଚିନ୍ତା ବଢ଼ିଲା । ଢେଙ୍କାନାଳ ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ ଛାତ୍ର କୋଭିଡ ପଜେଟିଭ ଚିହ୍ନଟ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଘରୋଇ କଲେଜ ହଷ୍ଟେଲର ୨୬୦ ପିଲାଙ୍କ RTPCR Test ପାଇଁ ସାମ୍ପୁଲ ପଠାଇଛି ।
କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସମସ୍ତଙ୍କ ମୁଣ୍ଡବ୍ୟଥା ବଢିଯାଇଛି । ଏପରିସ୍ଥଳେ ଗତ କିଛିଦିନ ହେଲା ତଳ ମୁହାଁଥିବା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଲାଣି । ଏପରିକି ସ୍କୁଲ କଲେଜ ଅଫଲାଇନ କ୍ଲାସ ଆରମ୍ଭ ହୋଇ ସାରିଥିବାବେଳେ ଭୀମସାର କଲେଜ ଆଦି ପରେପରେ ଏପଟେ ଢେଙ୍କାନାଳରେ ୪ଜଣ କଲେଜ ପିଲାଙ୍କ କୋଭିଡ ପଜେଟିଭ ଚିହ୍ନଟ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟ ନାମକ ଏକ ଘରୋଇ କଲେଜ ହଷ୍ଟେଲର ୪ଜଣ କୋଭିଡ ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଢେଙ୍କାନାଳରେ ସଂକ୍ରମଣ ଆଶଙ୍କା ବଢିଯାଇଛି । ଫଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସାଇକୃପା ଆବାସିକ କଲେଜର ଥିବା ୨୬୦ ପିଲାଙ୍କର କୋଭିଡ RTPCR Test ପାଇଁ ସ୍ବାବ ନିଆଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି ।
ଏପଟେ ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ନେଇ ସଂକ୍ରମଣ ଆଶଙ୍କା କରି ନିଜ ଘରକୁ ନେଇ ଯାଇଥିବା ଜଣାପଡିଛି । ଫଳରେ ଏହି କଲେଜ ଖାଲି ହୋଇଯାଇଥିଲେ ମଧ୍ୟ ଆସିବାକୁ ଥିବା ଆରଟିପିସିଆର ଟେଷ୍ଟ ରିପୋର୍ଟ ଉପରେ ସମସ୍ତଙ୍କର ନଜର ରହିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ