ଢେଙ୍କାନାଳ: ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଜଳୁଛି ଜଙ୍ଗଲ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଚାରା ଗଛ ପୋଡି ପାଉଁଶ । ହେଲେ ନିଆଁ ଲିଭାଇବା ପାଇଁ ବନବିଭାଗ କିଛି ଆକ୍ସନ ନେଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଏହି ଜଙ୍ଗଲ ନିଆଁ ମାଡି ମାଡି ଚାଲିଛି । ଯାହାକୁ ନେଇ ଜଙ୍ଗଲ ଆଖ ପାଖର ଗ୍ରାମବାସୀ ମାନେ ଅଗ୍ନିକାଣ୍ଡ ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି ।
ଏହି ନିଆଁ ଦୁଇ ଦିନ ହେଲା ଲାଗି କ୍ରମଶଃ ଭୟଙ୍କର ରୂପ ନେଉଛି । ଆଉ ସଂରକ୍ଷିତ ଜଙ୍ଗଲ ନିଆଁରେ ବନବିଭାଗ ତରଫରୁ ଲଗାଯାଇଥିବା ଲକ୍ଷାଧିକ ଟଙ୍କାର ଚାରା ଗଛ ପୋଡି ପାଉଁଶ ହେବାରେ ଲାଗିଛି। ଏପରି ଅଭାନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଲ ବନଖଣ୍ଡ ଅନ୍ତର୍ଗତ ଭୁବନ ବନାଞ୍ଚଳରେ । ଭୁବନ ବନାଞ୍ଚଳ ଅନ୍ତର୍ଗତ ମଠକରୋଗଳା ବିଟ୍ ଅଧୀନରେ ରହିଥିବା କହ୍ନେଇପାଳ ସଂରକ୍ଷିତ ଜଙ୍ଗଲରେ ଲାଗିଛି ଏହି ନିଆଁ। ଆଜକୁ ଦୁଇ ଦିନ ପୁର୍ବେ ପ୍ରଥମେ ବମୁଆଁ ସଂରକ୍ଷିତ ଜଙ୍ଗଲ ନିଆଁ ଲାଗିଥିଲା । ମାତ୍ର ବନ ବିଭାଗ ପକ୍ଷରୁ ନିଆଁ କୁ ଆୟତ୍ତ କରିବା ପାଇଁ କୌଣସି ଗୁରୁତ୍ୱ ଦିଆଗଲା ନାହିଁ ।
ଫଳରେ ଏହି ଜଙ୍ଗଲରୁ ନିଆଁ ବ୍ୟାପି ଆଜି କହ୍ନେଇପାଳ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିରହିଛି । ନିଆଁ କ୍ରମାଗତ ଭାବେ ଚାରି ଦିଗକୁ ବ୍ୟାପିବାରେ ଲାଗିଛି । ଆଉ ଦିନକୁ ଦିନ ଏହି ନିଆଁ ଆହୁରି ଭୟଙ୍କର ହୋଇ ଉଠିଛି। ନିଆଁ ଲାଗି ଜଙ୍ଗରେ ବହୁ ମୂଲ୍ୟବାନ ଗଛ ସବୁ ଜଳିପୋଡି ଯାଉଥିବା ଦେଖିବାକୁ ମିଳୁଛି । ସେପଟେ ଜଙ୍ଗଲ ବିଭାଗ ପକ୍ଷରୁ ପକାଇଥିବା ଲକ୍ଷ ଲକ୍ଷ ମୂଲ୍ୟବାନ ଗଛ ଚାରା ସବୁ ଏହି ନିଆଁରେ ପୋଡ଼ି ପାଉଁଶ ହୋଇଯାଉଥିବା ଜଣାପଡିଛି ।
ଏହା ସହ ନିଆଁ ଚାରି ଦିଗକୁ ମାଡୁଥିବାରୁ। ଜଙ୍ଗଲକୁ ଲାଗିରହିଥିବା ଗାଁ ଗୁଡିକରେ ଅଗ୍ନିକାଣ୍ଡ ହେବାର ଯଥେଷ୍ଠ ଆଶଙ୍କା କରାଯାଉଛି । ଫଲରେ ଜଙ୍ଗଲ ପାଖ ଗ୍ରାମ କହ୍ନେଇପାଳ, ଦୟାଣାବିଲି, ବମୁଆଁ ଛାତିଆସାହି ଓ ଥୋରିଅଛନ୍ଦା ଆଦି ଗ୍ରାମ ବାସୀ ମାନେ ନିଆଁ ଭୟରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗତ କିଛିଦିନ ତଳେ ବନବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଜନପ୍ରତିନିଧି ଏବଂ ବନକର୍ମଚାରିମାନଙ୍କୁ ନେଇ ହୋଇଥିଲେ ମଧ୍ୟ ପୁନର୍ବାର ଏହି ଜଙ୍ଗଲ ନିଆଁକୁ ଦେଖିଲେ ସଚେତନତାର କିଛି ସୁଫଳ ମିଳୁନାହିଁ ବୋଲି ଅନୁମାନ କରାଯାଇଛି। ଏହି ସକ୍ରାନ୍ତରେ ସ୍ଥାନୀୟ ସରପଞ୍ଚ ବନବିଭାଗକୁ ସୂଚନା ଦେଇଥିଲେ ମଧ୍ୟ ବନବିଭାଗ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ଇଟିଭି ଭ।ରତ, ଢେଙ୍କାନାଳ