ଢେଙ୍କାନାଳ: ଗାଁ ଭିତରକୁ ପ୍ରଚାର ଗାଡ଼ି, ପ୍ରାର୍ଥୀ ଓ ପ୍ରଶାସନ ଅଧିକାରୀଙ୍କ ପଶିବା ମନା । ଗାଡ଼ି ଆସିଲେ ବି ଗାଁ ମୁଣ୍ଡରୁ ଫେରିବାକୁ ପଡ଼ୁଛି । ଏଭଳି ଏକ ଗାଁ ହେଉଛି ଢେଙ୍କାନାଳର ଜିଲ୍ଲା ବେଲ ଟିକିରି ଗ୍ରାମପଞ୍ଚାୟତର ଦୁର୍ଗା ପ୍ରସାଦ ଗାଁ। ଗାଁକୁ ରାଜସ୍ବ ମାନ୍ୟତା ଦେବାକୁ ଗାଁ ଲୋକେ ଦୀର୍ଘ ହେଲା ଦାବି କରି ଆସୁଛନ୍ତି । ହେଲେ ରାଜସ୍ବ ମାନଚିତ୍ରରେ ଏଯାଏଁ ସ୍ଥାନ ପାଇ ପାରିନାହିଁ ଦୁର୍ଗାପ୍ରସାଦ ଗ୍ରାମ । ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ପ୍ରଚାରରେ ଉଠୁଛି ପଡ଼ୁଛି ପ୍ରତ୍ୟେକ ଗାଁ । ଏଠି କୌଣସି ପ୍ରଶାସନ ଅଧିକାରୀ କିମ୍ବା ପ୍ରଚାର ଗାଡ଼ି ପଶିବା ଉପରେ ନିଷିଦ୍ଧାଦେଶ ରହିଛି । ଏଥିପାଇଁ ସ୍ବତନ୍ତ୍ର ଭାବରେ ପୋଷ୍ଟର ମାରି ସୂଚାଇ ଦେଇଛନ୍ତି ଗାଁ ଲୋକେ । ଗାଁ ଛକରୁ ଆରମ୍ଭ କରି ଗାଁ ମୁଣ୍ଡ ଯାଏଁ ଲାଗିଛି ଏପରି ପୋଷ୍ଟର । ଗାଁ ମୁଣ୍ଡରେ ପାଳି କରି ଜଗୁଛନ୍ତି ଗ୍ରାମବାସୀ । ବାହାର ଗାଡି ମଟର ଆସିଲେ ଫେରାଇ ଦେଉଛନ୍ତି ଗ୍ରାମବାସୀ । ପ୍ରାର୍ଥୀ ହୁଅନ୍ତୁ ବା ରାଜନେତା ଅବା ପ୍ରଶାସନିକ ଅଧିକାରୀ, ଗାଁ ଭିତରକୁ ଯାଇ ପାରୁନାହାନ୍ତି ।
ଢେଙ୍କାନାଳ ଇତିହାସରେ ଦୁର୍ଗାପ୍ରସାଦ ଗ୍ରାମର ସ୍ବତନ୍ତ୍ରତା ରହିଛି । କିନ୍ତୁ ରାଜସ୍ୱ ବିଭାଗରେ ଗାଁର ନାଁ ନଥିବାରୁ ଗାଁ ଲୋକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହାକୁ ନେଇ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ଦୁର୍ଗାପ୍ରସାଦ ଗ୍ରାମରେ ୧୦୫୦ ଜଣ ଭୋଟର ରହିଛନ୍ତି । ଗ୍ରାମରେ ମଠ ମନ୍ଦିର ଠାରୁ ସ୍କୁଲ, ଦୁଇଟି ଅଙ୍ଗନବାଡି, ପୋଖରୀ, ଶ୍ମଶାନ ଓ ଖେଳାପଡ଼ିଆ ପର୍ଯ୍ୟନ୍ତ ସବୁ କିଛି ଅଛି । ହେଲେ ରାଜସ୍ବ ମାନ୍ୟତା ପାଇନଥିବାରୁ ଗାଁକୁ ଆଜିଯାଏଁ ତାର ପରିଚୟ ମିଳିପାରିନାହିଁ । ଗ୍ରାମବାସୀଙ୍କୁ ଭୋଟର କାର୍ଡ, ରାସନ କାର୍ଡ, ଶ୍ରମ କାର୍ଡ ସବୁ ମିଳୁଛି । ତେବେ ଉଚ୍ଚଶିକ୍ଷା, ପାସ୍ପୋର୍ଟ ସାର୍ଟିଫିକେଟ ବା କୋର୍ଟ କଚେରୀ କାର୍ଯ୍ୟ ହେଲେ ଗ୍ରାମବାସୀଙ୍କ ନାକେଦମ ହେବାକୁ ପଡ଼ୁଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ବିଭିନ୍ନ ସମୟରେ ତହସିଲଦାର, ବିଡ଼ିଓ ଠାରୁ ଜିଲ୍ଲାପାଳ ଓ ରାଜସ୍ୱ ବିଭାଗୀୟ ରାଜ୍ୟ ଉଚ କତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ଗ୍ରାମବାସୀ ନୟାନ୍ତ ହେଲେଣି । ସାଧାରଣ ନିର୍ବାଚନରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । ଫଳରେ ଭୋଟ ବର୍ଜନରୁ ଓହରିଥିଲେ ଗ୍ରାମବାସୀ । ମାତ୍ର ଆଜିଯାଏଁ ପ୍ରଶାସନର ପ୍ରତିଶ୍ରୁତିରେ ଅଟକିଛି ରାଜସ୍ବ ଗ୍ରାମ ମାନ୍ୟତାର ଫାଇଲ । କେବେ ପ୍ରଶାସନ କାନରେ ଏହି ଗ୍ରାମବାସୀଙ୍କ ଗୁହାରି ପଡ଼ୁଛି ତାହାକୁ ଅପେକ୍ଷା ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ