ଢେଙ୍କାନାଳ: ମରଣଯନ୍ତା ପାଲଟିଛି NH-55 । ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନେଇଥିବା ଠିକା ସଂସ୍ଥାର ମନମାନି ଯୋଗୁଁ ଏହି ଜାତୀୟ ରାଜପଥ ଅବସ୍ଥା ଏବେ ଅତି ଶୋଚନୀୟ ହୋଇପଡିଛି । ଢେଙ୍କାନାଳ ଓ ଅନୁଗୋଳବାସୀଙ୍କ ଠାରୁ ଆରମ୍ଭ କରି ଏହି ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀଙ୍କ ପର୍ଯ୍ୟନ୍ତ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବାରମ୍ବାର ଗୁହାରି ସତ୍ତ୍ୱେ ପ୍ରଶାସନ ଠାରୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୁପକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି । ପ୍ରତିଦିନ ଏହି ରାସ୍ତାରେ ଅତି ବିପଦଶଙ୍କୁଳ ଭାବେ ଶହଶହ ଯାତ୍ରୀବାହୀ ବସ୍ ଓ ଅନ୍ୟ ଗାଡି ଯାତାୟତ କରୁଛି । ମାତ୍ର ଏହି ରାସ୍ତା ଅବସ୍ଥା ପୂର୍ବରୁ ଶୋଚନୀୟ ଥିବାବେଳେ, ବର୍ଷାଯୋଗୁଁ ଆହୁରି ଦୟନୀୟ ହୋଇପଡିଛି ।
ଏପରି ସ୍ଥଳେ ଏହି ରାଜପଥର ଦୁରାବସ୍ଥାକୁ ନେଇ ଆଇନର ଆଶ୍ରୟ ନେଇଛନ୍ତି ଖୋଦ ଢେଙ୍କାନାଳ ସାଂସଦ ମହେଶ ସାହୁ । ଆଜି(ଗୁରୁବାର) ସାଂସଦ ମହେଶ ସାହୁ ତାଙ୍କ ସମର୍ଥକ ମାନଙ୍କୁ ନେଇ ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । NH-55ର ଠିକା ସଂସ୍ଥା ଓ ଏହି ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପର ନିର୍ଦ୍ଦେଶକ ଅର୍ଥାତ, NHAIର ଅଧିକାରୀଙ୍କ ନାମରେ ଅଭିଯୋଗ କରିଥିବା କହିଛନ୍ତି ସାଂସଦ ମହେଶ ସାହୁ ।
ସେପଟେ ସୋସିଆଲ ମିଡିଆରେ ସମାଲୋଚନା ପରେ, ଏହି ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ ଅସୁବିଧାକୁ ଅନୁଭବ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ତୁରନ୍ତ ସମସ୍ୟାର ସମାଧାନ ପାଇଁ କହିଛନ୍ତି । ଏହି ବୈଠକରେ NHAI କର୍ତ୍ତୁପକ୍ଷ ଓ ରାଜ୍ୟର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ଢେଙ୍କାନାଳ