ଢେଙ୍କାନାଳ : ଆଜି ମହାଶିବରାତ୍ରୀ ଢେଙ୍କାନାଳର କପିଳାଶ ଚଳଚଂଚଳ । ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାଶରେ ମହାଶିବରାତ୍ରୀ ଅନୁଷ୍ଠିତ ହୋଇଯାଇଛି । ଭୋର ୪ଟା୨୦ରେ ଉଠିବ ମହାଦୀପ। କୋଭିଡ କଟକଣା ମଧ୍ୟରେ ଜାଗର ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଶ୍ରଦ୍ଧାଳୁଙ୍କ ସାଥିରେ ଆଧାର କାର୍ଡ ଜରୁରୀ ଥିବାବେଳେ ୬୦ବର୍ଷରୁ ଊର୍ଦ୍ଧ୍ବ ଓ ୧୦ରୁ କମ ଶିଶୁଙ୍କୁ କପିଳାଶ ମନା ଅଛି ।
ମହା ଶିବରାତ୍ରୀ ଅବସରରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶରେ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ପୀଠ ଜାଗର ଯାତ୍ରାରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଫଳରେ କୋଭିଡ ସଂକ୍ରମଣ ଆଶଙ୍କାରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ମଧ୍ୟ କଟକଣା ଜାରି କରାଯାଇଛି । ପୀଠକୁ ୬୦ ବର୍ଷରୁ ଉର୍ଧ୍ବ ବୟସ୍କ ଓ ୧୦ବର୍ଷରୁ କମ ଶିଶୁଙ୍କୁ ବାରଣ କରାଯାଇଛି । ଏହା ସହ ଜିଲ୍ଲା ବାହାର ଶ୍ରଦ୍ଧାଳୁଙ୍କୁ ମନା ଥିବାବେଳେ ଶ୍ରଦ୍ଧାଳୁମାନେ ସମସ୍ତେ ନିଜ ନିଜର ଆଧାର କାର୍ଡ ସାଥିରେ ରଖିଥିବା ବାଧ୍ୟତା ମୂଳକ କରାଯାଇଛି । ତେବେ ପରମ୍ପରା ମୁତାବକ କପିଳାଶ ପୀଠର ଅଧିଷ୍ଠାତା ପ୍ରଭୁ ଚନ୍ଦ୍ର ଶେଖର ଜୀଉଙ୍କର ନୀତିକାନ୍ତି ଆଜି ଭୋର ସମୟରୁ ଆରମ୍ଭ ହୋଇଯାଇଛି। ଚାରି ପ୍ରହର ଷୋଡ଼ଶ ଉପଚାରରରେ ପୂଜାର୍ଚନା ହେବ ବୋଲି ମୁଖ୍ୟ ସେବାୟତଙ୍କ ପାଖରୁ ସୂଚନା ମିଳିଛି ।
ଶ୍ରଦ୍ଧାଳୁ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ମହାଦୀପ ଭୋର ୩ଟା ୫୫ମିନିଟ୍ ରେ ବେଢ଼ା ପରିକ୍ରମା କରାଯାଇ ୪ଟା ୨୦ରେ ମନ୍ଦିର ଚୁଡାକୁ ଉଠିବା ପାଇଁ ସମୟ ନିର୍ଘଣ୍ଟ କରାଯାଇଛି । ତେବେ ଆଜି ସକାଳୁ ସକାଳୁ ଉଭହେ ପାହାଚ ଓ ବାର ବାଙ୍କ ରାସ୍ତାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ଓ ମାନସିକଧାରୀ ମାନେ ନିଜର ମାନସିକ ପୂରଣ ପାଇଁ ପ୍ରଭୁଙ୍କ ନିକରେ ଦୀପ ଜାଳି ପ୍ରଭୁ ଚନ୍ଦ୍ରଶେଖରଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି। ଶ୍ରଦ୍ଧାଳୁଙ୍କ ସମାଗମ କୁ ଆଖି ଆଗରେ ରଖି ରାସ୍ତା ଘାଟ, ପାନୀୟ ଜଳ ଓ ଆଲୋକୀକରଣ କରାଯିବା ସହ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ମୃତୟନ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ