ଢେଙ୍କାନାଳ: ତୁଚ୍ଛ ହେଲା ରକ୍ତ ସମ୍ପର୍କ । ଭାଇ ସାଜିଲା ଭଗାରୀ । ଜମି ବିବାଦରୁ ଘଟିଲା ବର୍ବରକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଏସିଡ୍ ମାଡ କରିଛି ଭାଇ । ନିଜ ଭାଇକୁ ଘରେ ବାନ୍ଧି ଅନ୍ୟ ଭାଇମାନେ ମିଶି ଏସିଡ୍ ଢାଳି ଦେଇଛନ୍ତି । ଜମି ବାଡିକୁ ନେଇ ଭାଇ ଭାଇ ମଧ୍ୟରେ ପାରିବାରିକ କଳହରୁ ଏଭଳି କରୁଣ ପରିଣତି ଘଟିଥିବା ଜଣାପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଭାଇମାନେ ନିଜର ଅନ୍ୟ ଜଣେ ଭାଇ ପ୍ରତି ଘଟାଇ ଥିବା ଏପରି ବର୍ବରକାଣ୍ଡ ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି କରିଛି ।
ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାଲିବୋ ଗ୍ରାମ ପଞ୍ଚାୟତର ଲତାବିଲ ଗ୍ରାମର ଯୋଗୀ ନାୟକଙ୍କ ସାନପୁଅ ଭାଗିରଥୀ ନାୟକଙ୍କୁ (୪୦) ଶନିବାର ରାତି ପ୍ରାୟ ୧୦ଟା ବେଳେ ଏସିଡି ମାଡ ହୋଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଏସିଡ୍ର ରସାୟନିକ ପ୍ରତିକ୍ରିୟାରେ ତାଙ୍କ ଶରୀରର ଶତକଡା ୬୦ ପ୍ରତିଶତ ପୋଡି ଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ.....ଜମି ପାଇଁ ଭାଇ ସାଜିଲା ଭଗାରୀ: ଯୁବକକୁ ପିଟିପିଟି ହତ୍ୟା, 3 ଗିରଫ
ପ୍ରକାଶ ଥାଉକି, ଭାଗିରଥୀ ସୁରପ୍ରତାପ ପୁର ଗ୍ରାମରେ ଶଶୁର ଘରେ ରୁହନ୍ତି । ସ୍ତ୍ରୀ ବାପ ଘରେ ଥିବା ବେଳେ ଭାଗିରଥୀ ନିଜ ଗାଁ ଲତାବିଲକୁ ଯାଇଥିଲେ । ତେବେ ଭାଗିରଥି ଦୀର୍ଘ ଦିନ ହେବ ଭାଇମାନଙ୍କୁ ଘରର ପଟ୍ଟା ମାଗୁଥିଲେ । ପୂର୍ବରୁ ଜମିବାଡିକୁ ନେଇ ଭାଇମାନଙ୍କ ମଧ୍ୟରେ ବହୁବାର ଝଗଡା ମଧ୍ୟ ଲାଗିଥିଲା । କାଲି ପୁନର୍ବାର ସମାନ ଘଟଣାକୁ ନେଇ ଭାଇମାନଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଭାଇମାନେ ପଟ୍ଟା ଦେବା ପରିବର୍ତ୍ତେ ଭାଗିରଥୀଙ୍କୁ ନିଜ ଘରେ ବାନ୍ଧି ପକାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରି ଏସିଡ୍ ପକାଇ ଦେଇଥିଲେ ବୋଲି ଭୁବନ ଡାକ୍ତରଖାନାରେ ପ୍ରତିକ୍ରିୟାରେ କହିଛନ୍ତି ଭାଗିରଥୀ । ଏସିଡ୍ ମାଡ଼ ଫଳରେ ଭାଗିରଥୀଙ୍କ ମୁହଁ ସହ ଦୁଇ ହାତରେ ମଧ୍ୟ ଏସିଡ୍ ପଡିଛି । ସେପଟେ ଭାଗିରଥୀଙ୍କୁ ଏସିଡ୍ ମାଡ କରି ଭାଇମାନେ ଫେରାର ହୋଇଯାଇଛନ୍ତି । ଖବର ପାଇ ଡାକ୍ତରଖାନାରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଭୁବନ ଥାନାଧିକାରୀ ଘଟଣାର ତଦନ୍ତ ପରେ ପ୍ରତକ୍ରିୟା ରଖିବାକୁ କହିଛନ୍ତି l
ଇଟିଭି ଭାରତ, ଢେଙ୍କାନାଳ