ଢେଙ୍କାନାଳ: କ୍ରମାଗତ ଭାବରେ ବଢି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏପରିସ୍ଥଳେ କେବଳ ସାମାଜିକ ଦୂରତା ଓ ସାନିଟାଇଜ କୁ ମୂଳ ପୁଞ୍ଜି କରି କୋରନା ବିସ୍ତାରକୁ ରୋକିବା ପାଇଁ ଉଦ୍ୟମ ଚାଲିଛି । ସେପଟେ ଢେଙ୍କାନାଳ ଜିଲ୍ଲାରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନେଇ ଗ୍ରାହକଙ୍କ ଠାରୁ ଆରମ୍ଭ କରି ବ୍ୟାଙ୍କ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ।
ଜିଲ୍ଲାରେ ଜାତୀୟକରଣ ବ୍ୟାଙ୍କର ୭୩ଟି ଓ ଘରୋଇ ବ୍ୟାଙ୍କର ୧୮ଟି ତଥା ଆଞ୍ଚଳିକ ବ୍ୟାଙ୍କର ୩୦ଟି ଶାଖା ଏପରି ମୋଟ ୧୨୧ଟି ବ୍ୟାଙ୍କ କାର୍ଯ୍ୟ କରୁଛି । ଯେଉଁଥିରେ ଅନ୍ୟୁନ ଏକ ହଜାରରୁ ଉର୍ଦ୍ଧ୍ୱ ବ୍ୟାଙ୍କ କର୍ମଚାରୀ ପ୍ରତ୍ୟକ୍ଷ ଭାବେ କାମ କରୁଛନ୍ତି । ଦୈନନ୍ଦିନ ଶହ ଶହ ସଂଖ୍ୟାରେ ଗ୍ରାହକ ଏହି କର୍ମଚାରୀ ମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି । ସାମାଜିକ ଦୂରତା ଓ ସାନିଟାଇଜ କଥା କହିଲେ ବ୍ୟାଙ୍କ ଗୁଡିକରେ କେବଳ ବ୍ୟାଙ୍କ ବାହାରେ ରଖାଯାଇଥିବା ଏକ ସାନିଟାଇଜ ବୋତଲରେ ସୀମିତ ରହିଯାଇଛି । ଅପରପକ୍ଷରେ ବ୍ୟାଙ୍କକୁ ଆସୁଥିବା ଗ୍ରାହକ ମାନଙ୍କୁ ସ୍ଥିତି ପରଖିବା ବ୍ୟାଙ୍କ ପକ୍ଷରେ ସମ୍ଭବ ହୋଇ ପାରୁ ନଥିବା ବେଳେ ସିଧାସଳଖ ଦେଣ ନେଣ କରାଯାଉଥିବା ଟଙ୍କାକୁ ସାନିଟାଇଜ କରିବା ଅସମ୍ଭବ ହୋଇପଡୁଛି । ଏପରିସ୍ଥଳେ ଅନିଚ୍ଛା ସତ୍ତ୍ୱେ ଗ୍ରାହକ ଓ ବୁଦ୍ଧିଜୀବୀମାନେ ବ୍ୟାଙ୍କ ଆସୁଥିବାବେଳେ ବ୍ୟାଙ୍କ କର୍ମଚାରୀମାନେ ଅସୁରକ୍ଷିତ ଅବସ୍ଥାରେ କାମ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି ।
ଏପରିସ୍ଥଳେ କୋରୋନା ସଂକ୍ରମଣକୁ ନେଇ ଉଭୟେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ଅସୁରକ୍ଷିତ । ମାତ୍ର ଏହି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ବିକଳ୍ପର ବାଟ ଦିଶୁନି । ଫଳରେ ଅସୁରକ୍ଷିତ ଅବସ୍ଥାରେ ଗ୍ରାହକମାନଙ୍କୁ ସେବା ଯୋଗାଉଥିବା ଏହି ବ୍ୟାଙ୍କ କର୍ମଚାରୀ ମାନଙ୍କ ପାଇଁ ସରକାର ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅନୁରୋଧ କରିଛନ୍ତି ।
ନିଜେ ଅସୁରକ୍ଷିତ ଥାଇ ମଧ୍ୟ ବାଧ୍ୟରେ ସେବା ଯୋଗାଇ ଆସୁଥିବା ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଶାଖା ପରିଚାଳକଙ୍କ ପର୍ଯ୍ୟନ୍ତ କଟକଣା ଯୋଗୁଁ ଗଣମାଧ୍ୟମରେ ପାଟି ଖୋଲୁ ନାହାନ୍ତି ସତ । କିନ୍ତୁ ଏହି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସାମାଜିକ ଦୂରତା ହେଉ ବା ସାନିଟାଇଜ ହେଉ । ମହାମାରୀ କୋରନା ଭାଇରସ ରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏପରିକ୍ଷେତ୍ରରେ କେବଳ ଭଗବାନ ହିଁ ଭରସା କହିଲେ ଭୁଲ ହେବ ନାହିଁ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ