ଢେଙ୍କାନାଳ: ପିକଅପ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣାରେ ମାନବିକତା ଦେଖାଇଛି ହେଲପିଙ୍ଗ ହ୍ୟାଣ୍ଡସ ଯୁବ ସଙ୍ଗଠନ । ଢେଙ୍କାନାଳ ସହର ବାଜିଚୌକ ସ୍ଥିତ ଓଭର ବ୍ରିଜ ତଳେ ଆଜି(ମଙ୍ଗଳବାର) ପିକଅପ ଭ୍ୟାନ ମାଡିଯାଇ ପ୍ରାଣ ହରାଇଥିବା ଦୁଇ ଶିଶୁଙ୍କ ଶୋକସନ୍ତପ୍ତ ପରିବାରକୁ ସହାୟତାର ହାତ ବଢାଇଛି ଯୁବ ସଙ୍ଗଠନ । ଏପରିକି ଢେଙ୍କାନାଳର ହେଲପିଙ୍ଗ ହ୍ୟାଣ୍ଡସ ନାମକ ଯୁବଗୋଷ୍ଠୀ ମୃତଶିଶୁ ଦୁଇଟିର ଅନ୍ତିମ ସତ୍କାର କରିଛନ୍ତି ।
ଢେଙ୍କାନାଳ ସହର ବାଜିଚୌକ ସ୍ଥିତ ଓଭରବ୍ରିଜ ତଳେ ଆଶ୍ରୟ ନେଇଥିବା ବିହାର ଅଞ୍ଚଳର କିଛି ବୁଲା ବିକାଳୀଙ୍କ ପାଇଁ ଗତକାଲି ଥିଲା ଦୁର୍ଭାଗ୍ୟର ଦିନ । ଖେଳୁଥିବା 3ଜଣ କୁନି ଶିଶୁଙ୍କ ଉପରେ ପିକଅପ ଭ୍ୟାନ ଚଢି ଯାଇଥିଲା । ଆଉ ଘଟଣାସ୍ଥଳରେ ଦୁଇଟି ଶିଶୁ ପ୍ରାଣ ହରାଇଥିଲେ ।
ତେବେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ଅନ୍ୟ ଶିଶୁର ଅବସ୍ଥା ସଙ୍କଟାପନ୍ନ ଯୋଗୁଁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ତିନୋଟି ଯାକ ଶିଶୁ ଗୋଟିଏ ପରିବାରର ବୋଲି ଜଣାପଡିଛି ।
ଆଉ ଏହି ସମୟରେ ହେଲପିଙ୍ଗ ହ୍ୟାଣ୍ଡସର ସଦସ୍ୟମାନେ ତାଙ୍କ ପାଖରେ ପହଞ୍ଚି 2 ଶିଶୁଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଡାକ୍ତରଖାନାରୁ ଏହି ଯୁବଗୋଷ୍ଠୀ ନିଜେ ଶ୍ମଶାନକୁ ନେଇ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ଯାହାଫଳରେ ମୃତ ଶିଶୁ ପରିବାର ପକ୍ଷରୁ ଏହି ଯୁବଗୋଷ୍ଠୀଙ୍କ ଏପରି ସହାୟତା ପାଇଁ ସାଧୁବାଦ ଜଣାଇଛନ୍ତି । ଅଣ ଓଡ଼ିଆ ଏହି ଗରିବ ବୁଲା ବିକାଳୀଙ୍କ ଏପରି ବିପଦ ସମୟରେ ସହାୟତାର ହାତ ବଢ଼ାଇ ଏହି ଯୁବଗୋଷ୍ଠୀ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ